ବରିଷ୍ଠ ଆଇନଜୀବି ତଥା ରାଜନେତା ଚିତ୍ତରଞ୍ଜନ ଚୌଧୁରୀଙ୍କ ହୃଦଘାତରେ ପରଲୋକ।
ନୀଳଗିରି, ୨/୭(ଓଡ଼ିଶା ଆଦର୍ଶ):ନୀଳଗିରି ର ଜଣେ ରାଜନେତା ତଥା ଆଇନଜୀବୀ ଚିତ୍ତରଞ୍ଜନ ଚୌଧୁରୀଙ୍କ ୭୧ବର୍ଷରେ ପରଲୋକ ହୋଇଯାଇଛି। ଗତ ଦୁଇମାସଧରି ବିଭିନ୍ନ ରୋଗରେ ପୀଡିତହୋଇ ଭୁବନେଶ୍ୱର ସ୍ଥିତ ଉତ୍କଳ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। କିଛିଦିନଧରି ଭେଣ୍ଟିଲେଟରରେ ଥିବାବେଳେ ଜୁଲାଇ ୧ତାରିଖ ବୁଧବାର ନରଣପୁରକୁ ଅଣାଯାଇଥିବା ବେଳେ ରାତ୍ରି ୧୦.୮ ମିନିଟ ସମୟରେ ସେ ଇହଲୀଳା ସମ୍ବରଣ କରିଛନ୍ତି। ୧୯୫୬ ମସିହା ଜାନୁଆରି ୪ତାରିଖ ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ୍ ନରଣପୁର ଗ୍ରାମର ସମ୍ଭ୍ରାନ୍ତବଂଶୀୟ ତତ୍କାଳୀନ ବିଶିଷ୍ଟ ଆଇନଜ୍ଞ ରାମଚନ୍ଦ୍ର ଚୌଧୁରୀ ଏବଂ ମାତା ହେମଲତା ଚୌଧୁରୀଙ୍କ କୋଳମଣ୍ଡନ କରିଥିବା ଚିତ୍ତରଞ୍ଜନ ଆଇନବିଦ୍ୟାରେ ଅଧ୍ୟୟନକରି ପରବର୍ତ୍ତୀ ସମୟରେ ସରକାରୀ ଓକିଲଭାବରେ ବେଶ ସୁନାମଅର୍ଜନ କରିଥିଲେ। ପରେ ରାଜନୀତିରେ ରୁଚି ରଖିଥିବା ଚିତ୍ତରଞ୍ଜନ କଂଗ୍ରେସଦଳର ନୀଳଗିରି ବ୍ଲକ୍ ଅଧ୍ୟକ୍ଷଭାବରେ ଦଳୀୟ ସଙ୍ଗଠନକୁ ମଜଭୁତ କରିବାରେ ସକ୍ଷମ ହୋଇପାରିଥିଲେ। ପରେ ଭିନ୍ନଭିନ୍ନ ରାଜନୈତିକ ଦଳରେ ସାମିଲହୋଇ ଜନସାଧାରଣଙ୍କ ସେବାକରିବା ସହ ତାଙ୍କ ନେତୃତ୍ଵରେ ନରଣପୁର ଗ୍ରାମରେ ଏକ ଉଚ୍ଚବିଦ୍ୟାଳୟ ପ୍ରତିଷ୍ଠା ହୋଇପାରିଥିଲା। ଏଥିସହିତ ନରଣପୁର ସାର୍ବଜନୀନ ଦୁର୍ଗାପୂଜା କମିଟିର ଆଜୀବନ ସଭାପତି, ସାଂସଦ ପ୍ରତିନିଧି, ମାଟିଆଳି ସମବାୟସମିତି ପର୍ଚେଜିଂ କମିଟି ସଦସ୍ୟ, ଭଳି ବହୁ ଗୁରୁତ୍ଵପୂର୍ଣ୍ଣ ପଦବୀରେ ରହି ଲୋକଙ୍କୁ ସେବାଯୋଗାଇ ଆସୁଥିଲେ। ନୀଳଗିରି ଅଞ୍ଚଳରେ ବିଶିଷ୍ଟ ରାଜନେତା ଭାବରେ ପରିଚୟ ସୃଷ୍ଟିକରିଥିବା ସ୍ୱର୍ଗୀୟ ଚୌଧୁରୀଙ୍କ ମୃତ୍ୟୁ ଖବରପାଇ ପୁର୍ବତନ ବିଧାୟକ ଇଂ ସୁକାନ୍ତ କୁମାର ନାୟକ ଓ ସ୍ବରଭ ଦାସ ନୀଳଗିରି କଂଗ୍ରେସଦଳର ବହୁନେତା, ବିଶିଷ୍ଟ ବ୍ୟକ୍ତିବିଶେଷ ନରଣପୁରସ୍ଥ ବାସଭବନରେ ଶେଷଦର୍ଶନ କରିଥିଲେ। ଗୁରୁବାର ସକାଳେ ଏକ ଶୋକାକୁଳ ପରିବେଶରେ ଶହଶହ ସଂଖ୍ୟାରେ ଶୁଭେଚ୍ଛୁ ଓ ଗ୍ରାମବାସୀ ଶବଶୋଭାଯାତ୍ରାରେ ଯାଇ ପୈତୃକବାଡ଼ିରେ ସଂସ୍କାର କରିଥିଲେ। ଦୁଇପୁଅଙ୍କ ମଧ୍ୟରୁ ସାନପୁଅ ଧନଞ୍ଜୟ ମୂଖାଗ୍ନୀ ଦେଇଥିବାବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଥିଲା। ଏନେଇ ଗୁରୁବାର ଦିନ ୪ ଘଟିକା ସମୟରେ ନୀଳଗିରି ସବଡିଭିଜନାଲ ବାର୍ ଏସୋସିଏସନ୍ ତରଫରୁ ଆଡଭୋକେଟ୍ ଚିତ୍ତରଞ୍ଜନ ଚୌଧୁରୀଙ୍କ ବିୟୋଗରେ ଏକ ଶୋକସଭା ଶ୍ରୀ ଚିତ୍ତରଞ୍ଜନ ଷଡ଼ଙ୍ଗୀ ଙ୍କ ଅଦ୍ଧକ୍ଷତାରେ ଅନୁଷ୍ଠିତ ହୋଇଥିଲା।




Post a Comment