Header ADS

ବିଦ୍ୟୁତ୍ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ, ୩ ଗିରଫ

 ବିଦ୍ୟୁତ୍ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ, ୩ ଗିରଫ



କନ୍ଧମାଳ, (ଓଡ଼ିଶା ଆଦର୍ଶ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ଅନ୍ତର୍ଗତ ବେଲଘର ବନାଞ୍ଚଳର ଧରଣୀମାସ୍କା ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ ଘଟଣାରେ ୩ ଜଣଙ୍କୁ ଗିରଫ କରିଛି ବନ ବିଭାଗ। ଘଟଣାସ୍ଥଳରୁ ଗୋଟିଏ ମୃତ କୁଟୁରା ସହ ୨୧୫ ମିଟର ଜିଆଇ ତାର ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି।ବନ ବିଭାଗର ସୂଚନା ଅନୁଯାୟୀ, ରାତ୍ରିକାଳୀନ ପାଟ୍ରୋଲିଂ ସମୟରେ ବନ କର୍ମଚାରୀମାନେ ଧରଣୀମାସ୍କା ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଯାଇଥିବା ଦେଖିବାକୁ ପାଇଥିଲେ। ଏହାପରେ ଘଟଣାସ୍ଥଳରେ ଚଢ଼ଉ କରାଯାଇଥିଲା। ଚଢ଼ଉ ସମୟରେ ଗୋଟିଏ ମୃତ କୁଟୁରା, ୨୧୫ ମିଟର ଜିଆଇ ତାର, ଗୋଟିଏ ବାଉଁଶ ଖୁଣ୍ଟ, ୧୩ଟି ବାଉଁଶ କିଳା ଓ ୨ଟି ହେଡ୍ ଟର୍ଚ୍ଚ ଜବତ କରିଥିଲେ ବନ କର୍ମଚାରୀ।ଏହି ଘଟଣାରେ ବନ୍ୟପ୍ରାଣୀ ସୁରକ୍ଷା ଆଇନ, ୧୯୭୨ର ବିଭିନ୍ନ ଧାରା ଅନୁଯାୟୀ ଓଆର୍ କେସ୍ ନମ୍ବର ୩୨/୨୦୨୬-୨୭ ରୁଜୁ କରାଯାଇଛି। ଗିରଫ ଅଭିଯୁକ୍ତମାନେ ହେଲେ ରାୟଗଡ଼ା ଜିଲ୍ଲା ଅମ୍ବାଦଳା ଥାନା ଅନ୍ତର୍ଗତ ମାଲିମୁଣ୍ଡା ଗ୍ରାମର ମନସାଇ ଦିଗାଳ (୬୬), ମକର ସୁନା (୩୧) ଓ ଗଙ୍ଗାଧର ବାଘ (୩୨)।ଏହି ଚଢ଼ଉ ଅଭିଯାନରେ ବେଲଘର ସେକ୍ସନ ବନପାଳ ଦୀପକ ପ୍ରଧାନ, ବନରକ୍ଷୀ ଅଜିତ ବାଛା, ଗୁମା ସେକ୍ସନ ବନପାଳ ସନ୍ଦୀପ ଦାଶ, ଧୁଡ଼ସି ବନରକ୍ଷୀଙ୍କ ସମେତ ବନ ସୁରକ୍ଷା ବାହିନୀର କର୍ମଚାରୀମାନେ ସାମିଲ ହୋଇଥିଲେ।ଜଙ୍ଗଲରେ ବିଦ୍ୟୁତ୍ ତାର ବିଛାଇ ବନ୍ୟପ୍ରାଣୀ ଶିକାର ଉଦ୍ୟମ ଘଟଣାକୁ ଗୁରୁତ୍ୱର ସହ ନେଇଛି ବନ ବିଭାଗ। ବନ୍ୟପ୍ରାଣୀଙ୍କ ସୁରକ୍ଷା ଓ ଶିକାର ରୋକିବା ଦିଗରେ ବିଭାଗର ଏହି କାର୍ଯ୍ୟାନୁଷ୍ଠାନକୁ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି।

Post a Comment

Previous Post Next Post
Header ADS