ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ଦୋକାନୀଙ୍କ ଦବଙ୍ଗଗିରି। ପର୍ଯ୍ୟଟକଙ୍କୁ ମାଡମାରି କଲେ ଲହୁଲୁହାଣ ।
ନୀଳଗିରି,୨୫/୧୦(ଓଡ଼ିଶା ଆଦର୍ଶ):ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ବାଲେଶ୍ଵର ଜିଲ୍ଲାର ନୀଳଗିରି ସ୍ଥିତ ପଞ୍ଚଲିଙ୍ଗେଶ୍ଵର ଶୈବପୀଠ ଗୁରୁତ୍ୱ ବହନ କରେ।ଦୈନନ୍ଦିନ ଶହଶହ ପର୍ଯ୍ୟଟକ ବାବାଙ୍କୁ ଦର୍ଶନ କରିବାକୁ ଆସୁଥିବାବେଳେ ପୀଠରେ ଥିବା ଦୋକାନୀମାନଙ୍କ ପ୍ରାଦୁର୍ଭାବ ଯୋଗୁଁ ଅଧିକାଂଶ ସମୟରେ ଦୋକାନୀ ଏବଂ ପର୍ଯ୍ୟଟକଙ୍କ ମଧ୍ୟରେ ଝଗଡ଼ା, ବାକବିତଣ୍ଡା ଦେଖିବାକୁ ମିଳେ। ବେଳେ ବେଳେ ପର୍ଯ୍ୟଟକଙ୍କୁ ମାଡ଼ ମାରି ଲହୁଲୁହାଣ କରିବାକୁ ପଛାଉ ନଥିବା ଅଭିଯୋଗ ହୁଏ। ଫଳରେ ଏବେ ପର୍ଯ୍ୟଟକମାନେ ପଞ୍ଚଲିଙ୍ଗେଶ୍ୱର ଆସିବାପାଇଁ ଭୟ କରୁଛନ୍ତି। ରବିବାର ଏପରି ଏକ ଘଟଣା ପଞ୍ଚଲିଙ୍ଗେଶ୍ୱରରେ ଦେଖିବାକୁ ମିଳିଛି। ସୂଚନା ଅନୁସାରେ ଅନୁଗୁଳ ଅଞ୍ଚଳରୁ ସଙ୍ଗୀତାରାଣୀ ମିଶ୍ର ନିଜ ପରିବାର ସହିତ ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସିଥିଲେ। ଠାକୁର ଦର୍ଶନକରି ଫେରୁଥିବା ବେଳେ ତାଙ୍କର ପୁତୁରା ସୁରଜ ମିଶ୍ର ଏକ ଦୋକାନରେ ଗଣେଶ ମୂର୍ତ୍ତି ଦେଖୁଥିଲେ। ମାତ୍ର ପସନ୍ଦ ନହେବାରୁ ପଳାଇ ଆସୁଥିବା ସମୟରେ ଦୋକାନୀ ତନୁ ଓ ଶୁକୁଟା ସମେତ ୩-୪ ଜଣ ମିଶି ପୁତୁରା ସୁରଜକୁ ପିଟାମରା କରି ଲହୁଲୁହାଣ କରି ପକାଇଥିଲେ। ପରିବାର ଲୋକେ ପ୍ରତିବାଦ କରିବାରୁ ସେମାନଙ୍କୁ ମଧ୍ୟ ମାଡ଼ ମାରିଥିଲେ। ଏନେଇ ସଙ୍ଗୀତାରାଣୀ ମିଶ୍ର ତୁରନ୍ତ ଈଶ୍ଵରପୁର ଫାଣ୍ଡି ଅଧିକାରୀ ମାନସ ରଞ୍ଜନ ନାୟକଙ୍କୁ ଫୋନ କରିଥିଲେ ହେଁ ଫାଣ୍ଡି ଅଧିକାରୀ ଫୋନ୍ ଉଠାଇ ନଥିଲେ।ପରେ ୧୧୨କୁ ମଧ୍ୟ ଫୋନ୍ କରିଥିଲେ। ମାତ୍ର କେହି ନଆସିବାରୁ ବାଧ୍ୟହୋଇ ନିଜଗାଡ଼ିରେ ନୀଳଗିରି ମେଡିକାଲ୍ ଆସି ଚିକିତ୍ସିତ ହୋଇଥିଲେ। ପୁତୁରା ପିଠିରେ ଗୁରୁତର ମାଡ଼ଚିହ୍ନ ଥିବାବେଳେ ଗୁରୁତର ଥିବାର ଦେଖିବାକୁ ମିଳିଛି। ପରେ ସଙ୍ଗୀତାରାଣୀ ମିଶ୍ର ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ନୀଳଗିରି ଥାନାରେ ୪୭୯/୨୬ ରେ ମାମଲା ରୁଜୁ ହୋଇଛି। ତେବେ ବାହାର ପର୍ଯ୍ୟଟକ ପୋଲିସର ସହାୟତା ମାଗୁଥିବା ବେଳେ ପୋଲିସର ସହଯୋଗ ନମିଳିବା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ଦୋକାନୀଙ୍କ ଦବଙ୍ଗଗିରି ଉପରେ ପୋଲିସ କି ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।



Post a Comment