ଇଣ୍ଡିଆନ ଆଇଡଲ୍ ଟପ୍ - ୧୦ରେ ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ
ନୀଳଗିରି,୧୨/୨(ଧର୍ମେନ୍ଦ୍ର ମହାକୁଡ଼): ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଳକ୍ ଜଡ଼ିଦା ପଞ୍ଚାୟତ ବାଉଁଶନାଳ ଗ୍ରାମର ଜ୍ୟୋତିର୍ମୟୀ ନାୟକଙ୍କ ପାଇଁ ଆଜି ସାରା ଓଡ଼ିଶା ଗର୍ବିତ।ମୁମ୍ବାଇରେ ଆୟୋଜିତ ପ୍ରତିଷ୍ଠିତ ସୋନି ଟିଭି ରିଅଲିଟି ସୋ 'ଇଣ୍ଡିଆନ ଆଇଡଲ୍ ସିଜିନ୍-୧୬'ରେ ଅଂଶଗ୍ରହଣ କରି ଜାତୀୟ ସ୍ତରରେ ସ୍ୱୀକୃତି ହାସଲ କରିଛନ୍ତି ।ଇଣ୍ଡିଆନ୍ ଆଇଡଲ୍ ସିଜିନ-୧୬ରେ ଭାବପ୍ରବଣ ସୁମଧୁର ସଙ୍ଗୀତ ପରିବେଷଣ ସହିତ ସେ ବିଚାରକ ଏବଂ ଦର୍ଶକଙ୍କୁ ପ୍ରଭାବିତ କରିଛନ୍ତି। ତାଙ୍କ ମଞ୍ଚ ପ୍ରବେଶ ଦର୍ଶକଙ୍କ ଭିତରେ ଖେଳାଇ ଦେଇଛି ଅପୂର୍ବ ଶିହରଣ। ବର୍ତ୍ତମାନ ଚାଲିଥିବା ସୋ'ର ଏବେ ସର୍ବଭାରତୀୟ ସ୍ତରରେ ୧୦ନମ୍ବର ରାଙ୍କରେ ଅଛନ୍ତି ଜ୍ୟୋତିର୍ମୟୀ। ବାପା ଚକ୍ରଧର ନାୟକ, ଓ ମା’ ଗୌରୀମଣି ଙ୍କ ପ୍ରେରଣା ଏବଂ ନିଜ ଜନ୍ମମାଟି ଗାଁ ରେ କୁଳଦେବ ଭାଗବତ ଗୋସେଇଁ ଙ୍କ ଆଶୀର୍ବାଦ ତାଙ୍କୁ ଦେଇଛି ଶିଖର ଛୁଇଁବାର ସଫଳତା। ୨୦୦୧ ମସିହା ଫେବ୍ରୁଆରୀ ୧୮ ତାରିଖରେ ଜନ୍ମିତ ଜ୍ୟୋତିର୍ମୟୀଙ୍କ ବାପା ଜଣେ ଚାଟାର୍ଡ ଆକାଉଣ୍ଟଟାଣ୍ଡ । ସେ ରାଉରକେଲାରେ ଚାକିରୀ କରୁଥିବା ସମୟରେ ଜ୍ୟୋତିର୍ମୟୀ ସେତେବେଳେ ତୃତୀୟ ଶ୍ରେଣୀରେ ପଢୁଥିଲେ। ସଙ୍ଗୀତ ପାଇଁ ରୁଚି ଥିବାରୁ ବୁଦ୍ଧଦେବ ପ୍ରସାଦଙ୍କଠାରୁ ପ୍ରଥମେ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ପରେ ଭୁବନେଶ୍ୱରରେ ସଙ୍ଗୀତ ଗୁରୁ ବାଳକୃଷ୍ଣ ବେହେରାଙ୍କଠାରୁ ଆଜି ପର୍ଯ୍ୟନ୍ତ ସଙ୍ଗୀତ ଶିଖୁଛନ୍ତି। ଅନେକ ହିଟ୍ ଆଲବମରେ ଗୀତ ଗାଇ ସେ ଓଡ଼ିଶାରେ ସୁନାମ ଆଣିଛନ୍ତି। ପୂର୍ବରୁ ଭଏସ୍ ଅଫ ଓଡ଼ିଶାରେ ମଧ୍ୟ ସଫଳ ହୋଇଥିଲେ। ଏବେ ତାଙ୍କ ପାଇଁ ସୋନି ଲିଭ୍ ଆପ୍ ରେ ଭୋଟିଂ ଦେବାକୁ ଓଡ଼ିଶାର ସଙ୍ଗୀତପ୍ରେମୀଙ୍କ ସହ ପରିବାର ଓ ଜ୍ୟୋତିର୍ମୟୀ ନିବେଦନ କରିଛନ୍ତି। ଜ୍ୟୋତିର୍ମୟୀ ଜଣେ ତାଲିମପ୍ରାପ୍ତ ସଙ୍ଗୀତ ଚିକିତ୍ସକ ମଧ୍ୟ। ସେ କର୍କଟ ରୋଗୀ ଏବଂ ଗର୍ଭବତୀଙ୍କୁ ଶାରୀରିକ ଚାଲେଞ୍ଜର ମୁକାବିଲା କରିବାରେ ସାହାଯ୍ୟ କରିବା ପାଇଁ ସଙ୍ଗୀତର ସହଯୋଗ ନିଅନ୍ତି। ପୂର୍ବରୁ ସମ୍ ଅଲ୍ଟିମେଟ୍ରେ କ୍ୟାନସର ରୋଗୀଙ୍କ ପାଇଁ ସେ ସଙ୍ଗୀତ ଗାନ ପୂର୍ବକ ମାନସିକ ଭାବେ ଚିକିତ୍ସା କରି ବେଶ ସୁନାମ ସାଉଁଟିଥିଲେ।ଜ୍ୟୋତିର୍ମୟୀ କୁହନ୍ତି ଯେ କୌଣସି ଉତ୍ସବ ବେଳେ ମୁଁ ଗାଁକୁ ଆସିବାକୁ ଭୁଲି ନଥାଏ। ସଂଗୀତ ପ୍ରତି ଦୁର୍ବଳତା ମୋ ଗାଁ ମାଟିକୁ ଜାବୁଡ଼ି ଧରେ। ଗାଁରେ ଜେଜେବାପା, ଜେଜେମା', ଦୁଇ କକା ଓ ଖୁଡ଼ୀଙ୍କର ସାନ ଭାଈ ଭଉଣି ରୁହନ୍ତି। ପରିବାରର ସମର୍ଥନ ଓ ପ୍ରୋତ୍ସାହନ ତାଙ୍କୁ ଏତେବାଟ ନେଇ ଆସିଛି ବୋଲି ସେ କହିଛନ୍ତି।ଜ୍ୟୋତିର୍ମୟୀ ଙ୍କ ଏହି ଅଦ୍ଭୁତ ସଫଳତା ପାଇଁ ଆଗମୀ ଦିନରେ ବିଜୟ ମୁକୁଟ ପିନ୍ଧି ଓଡ଼ଶା ତଥା ସାରା ଭାରତ ବର୍ଷରେ ସୁନାମ ଆଣିବାକୁ ଓଡ଼ିଶା ସରକାର ଙ୍କ ଉପ ମୂଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା,ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ , ଯୁବ ସମାଜସେବୀ ଚନ୍ଦ୍ରବିନ୍ଦୁ ଦାସ, ବିଜେପି ଯୁବମୋର୍ଚ୍ଚା ଉପ ସଭାପତି ଦେବାଶିଷ ଆଚାର୍ଯ୍ୟ ଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ନିଜ ନିଜ ସୋସିଆଲ ମିଡିଆରେ ଶୁଭେଛା ଜଣାଇବା ସହିତ ଓଡ଼ିଶାର ଝିଅକୁ ବେଶ୍ ପ୍ରଶଂସା କରିଛନ୍ତି। ଅନ୍ୟପଟେ ଜ୍ୟୋତିର୍ମୟୀଙ୍କ ଗାଁ ବାଉଁଶନାଳରେ ରହୁଥିବା ପରିବାର ବର୍ଗ କୁଳଦେବ ଭାଗବତ ଗୋସେଇଁ ଙ୍କ ଠାରେ ଅଖଣ୍ଡ ଦୀପ ଜାଳି ଶୁଭମନାସୀ ଛନ୍ତି।



إرسال تعليق