ପରଲୋକରେ ନୀଳଗିରିର ଶେଷ ଶାସକ ରାଜାଙ୍କ ସାନପୁଅ
ନୀଳଗିରି,୧୪/୨(ଓଡ଼ଶା ଆଦର୍ଶ):ନୀଳଗିରିର ଶେଷ ଶାସକ ରାଜା କିଶୋର ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନଙ୍କ ସାନପୁଅ ତଥା ସାନକୁମାର କିରଣେନ୍ଦ୍ର ଚନ୍ଦ୍ର ମର୍ଦ୍ଦରାଜଙ୍କ ୭୯ବର୍ଷରେ ପରଲୋକ ଘଟିଛି । ଶେଷ ଶାସକ ରାଜା କିଶୋରଙ୍କ ୫ପୁଅ ଓ ୩ଝିଅଙ୍କ ମଧ୍ୟରୁ କିରଣେନ୍ଦ୍ର ସବୁଠୁ ସାନ ସନ୍ତାନ ଥିଲେ । ୧୯୪୭ମସିହାରେ ଜନ୍ମିତ ସାନକୁମାର ରାଇପୁରସ୍ଥିତ ରାଜକୁମାର କଲେଜରେ ପାଠ ପଢ଼ିଥିଲେ । ପରବର୍ତ୍ତୀ ସମୟରେ ସେ ସ୍ୱାସ୍ଥ୍ୟ ବିଭାଗରେ ଚାକିରି କରି ବାରିପଦାରେ ଅବସର ନେଇଥିଲେ । ରାଜକୀୟ ଢ଼ଙ୍ଗୀରେ କଥାବାର୍ତ୍ତା ସହ ଓଲଟା ବାଟରେ ସାଇକଲ ଚଳାଇବା ନୀଳଗିରିରେ ତାଙ୍କର ଆଉ ଏକ ପରିଚୟ ରହିଥିଲା । ସଦାସର୍ବଦା ହସ ହସ ମୁହଁ ଓ ଲୋକଙ୍କ ସହ ଭଦ୍ର ବ୍ୟବହାର କରୁଥିଲେ କିରଣେନ୍ଦ୍ର । ଅଚାନକ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ବାଲେଶ୍ୱର ମେଡିକାଲ କଲେଜରେ ଭର୍ତ୍ତି କରିଥିଲେ ହେଁ ସେଠାରେ ତାଙ୍କର ପରଲୋକ ଘଟିଛି । ନୀଳଗିରି ରାଜାସାହେବ ଜୟନ୍ତ ଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ, ରାଣୀସାହେବା ମନୋଜ ମଞ୍ଜରୀ ଦେବୀ, ସାନରାଜା ଜଗଦ୍ଦୀଶ ମର୍ଦ୍ଦରାଜ, ସାନରାଣୀ ଜ୍ୟୋତ୍ସ୍ନାଦେବୀ ମର୍ଦ୍ଦରାଜ, କିରଣେନ୍ଦ୍ରଙ୍କ ବଡ଼ପୁଅ ପ୍ରକାଶ, ସାନପୁଅ ବିକାଶଙ୍କ ସମେତ ରାଜ ପରିବାର ଏନେଇ ଶୋକପ୍ରକାଶ କରିଛନ୍ତି । ରାଜବାଟୀ ପରିସରରେ ଥିବା ପୈତୃକ ବାଡ଼ିରେ ତାଙ୍କ ଶେଷକୃତ୍ତ୍ୟ ସମ୍ପନ୍ନ ହୋଇଥିବା ବେଳେ ସାନପୁଅ ବିକାଶ ମୁଖାଗ୍ନି ଦେଇଥିଲେ ।



Post a Comment