Header ADS

ଚାନ୍ଦିପୁର ସମୁଦ୍ରତଟରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ବିଶାଳ ସ୍ୱଚ୍ଛତା ଅଭିଯାନ

 ଚାନ୍ଦିପୁର ସମୁଦ୍ରତଟରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ବିଶାଳ ସ୍ୱଚ୍ଛତା ଅଭିଯାନ



ନୀଳଗିରି,୨୦/୯(ଓଡ଼ିଶା ଆଦର୍ଶ):ଆନ୍ତର୍ଜାତୀୟ ତଟୀୟ ସ୍ବଚ୍ଛତା ଦିବସ ଅବସରରେ ଫକୀରମୋହନ ବିଶ୍ୱବିଦ୍ୟାଳୟ ଦ୍ବାରା ପରିବେଶ ସୁରକ୍ଷା, ଯୁବଶକ୍ତି ଓ ସାମାଜିକ ଦାୟିତ୍ୱର ଏକ ଉଦାହରଣ ସ୍ବରୂପ ଚାନ୍ଦିପୁର ସମୁଦ୍ରତଟରେ ବିଶାଳ ସ୍ୱଚ୍ଛତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି। ଭାରତର ୫୦ଟି ସମୁଦ୍ରତଟ ସ୍ଥଳୀରେ ଏହି ପାନ୍-ଇଣ୍ଡିଆ କାର୍ଯ୍ୟକ୍ରମ ପାଳନ ହେବାସହ ଚାନ୍ଦିପୁରରେ ହୋଇଥିବା ଏହି କାର୍ଯ୍ୟକ୍ରମଟିକୁ ଜାତୀୟ କୋଷ୍ଟାଲ ଗବେଷଣା କେନ୍ଦ୍ର (ଏନ ସି ସି ଆର), ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ, ଭାରତ ସରକାରଙ୍କ ସହଯୋଗରେ ସଫଳତାର ସହିତ ଆୟୋଜନ କରାଯାଇଛି।

       


ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ମାର୍ଗଦର୍ଶନରେ ପ୍ରାୟ ୧୩୫ ଜଣ ଏନଏସଏସ ର ସ୍ବେଛାସେବୀ, ଛାତ୍ରଛାତ୍ରୀ, ଶିକ୍ଷକ-ଶିକ୍ଷୟିତ୍ରୀ ଓ କର୍ମଚାରୀମାନେ ସକ୍ରିୟ ଭାବେ ଯୋଗଥିଲେ। ସେମାନେ ମିଶି ୧.୮ ଟନ୍ ପ୍ଲାଷ୍ଟିକ୍, କାଚ ଓ ଅନ୍ୟାନ୍ୟ ବର୍ଜ୍ୟବସ୍ତୁର ସଂଗ୍ରହ କରି ସମୁଦ୍ରତଟକୁ ପୁନଃ ସ୍ୱଚ୍ଛ ଓ ସୁନ୍ଦର କରିବାରେ ସଫଳ ହୋଇଛନ୍ତି।

     ଏହି କାର୍ଯ୍ୟକ୍ରମଟି କେବଳ ବର୍ଜ୍ୟବସ୍ତୁର ସଂଗ୍ରହରେ ସୀମିତ ନ ହୋଇ, ଛାତ୍ରଛାତ୍ରୀମାନେ ପ୍ଲାକାର୍ଡ ଧରି ସ୍ଲୋଗାନ୍ ଦେଇ ସଚେତନତା ରାଲି କରିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନଶୀଳ ଅଭ୍ୟାସ ଓ ବାର୍ତ୍ତା ପ୍ରଦାନ କରିଥିଲେ।“ସମୁଦ୍ରତଟ ଆମର ଐତିହ୍ୟ, ଆମ ଦାୟିତ୍ବ, ଏହାକୁ ସୁରକ୍ଷିତ କରିବା ଆମର ପ୍ରଥମ କର୍ତ୍ତବ୍ୟ" କୁ ଜନସାଧାରଣଙ୍କୁ ବୁଝାଇଥିଲେ। 

     କାର୍ଯ୍ୟକ୍ରମରେ ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରାଙ୍କ ସହ ପ୍ରଫେସର ଅମୂଲ୍ୟ ଆଚାର୍ଯ୍ୟ, ପ୍ରଫେସର ପଙ୍କଜ କୁମାର ପାରହୀ, ଡ଼କ୍ଟର ନିହାର ରଞ୍ଜନ ରାଉତ, ଡ଼କ୍ଟର ଅଶାନ୍ତ ରଞ୍ଜନ ରାଉତ, ଡ଼କ୍ଟର ଦେବଦତ୍ତ ଦାସ, ଡ଼କ୍ଟର ଅସୀମ ଅମିତାଭ ପ୍ରଧାନ, ଅରୁଣ କୁମାର ନାୟକ, ଡ଼କ୍ଟର ଅଭୟ କୁମାର ନାୟକ, ସବିତା ସୋରେନ, ଦେବଦତ୍ତ ନାୟକ ପ୍ରମୁଖଙ୍କ ସହଯୋଗ ଉତ୍ସାହଜନକ ହୋଇଥିଲା। ବିଶ୍ୱବିଦ୍ୟାଳୟର ଭୂବିଜ୍ଞାନ ବିଭାଗର ସହାୟକ ଅଧ୍ୟାପିକା ଡ଼କ୍ଟର ସ୍ମୃତିରେଖା ସାହୁ ଏହା କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।

       


ଏହି ଅବସରରେ ସମ୍ମାନୀୟ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ,'ପରିବେଶ ସୁରକ୍ଷା ସମସ୍ତଙ୍କ ସାମୁହିକ କର୍ତ୍ତବ୍ୟ। ଏହି ସ୍ବଚ୍ଛତା ନିମିତ୍ତ କାର୍ଯ୍ୟକ୍ରମରେ ଛାତ୍ର/ଛାତ୍ରୀଙ୍କ ସହ ଅନ୍ଯମାନଙ୍କ ଉତ୍ସାହ, ସଚେତନତା ଓ ସାମୁହିକ ପ୍ରୟାସ ଏକ ନୂଆ ପରିବର୍ତ୍ତନର ସଙ୍କେତ' ବୋଲି ମତବ୍ୟକ୍ତ କରିଥିଲେ।ଫକୀରମୋହନ ବିଶ୍ୱବିଦ୍ୟାଳୟ ଆଗାମୀଦିନରେ ସମୁଦ୍ରତଟ ସ୍ୱଚ୍ଛତା, ପରିବେଶ ସୁରକ୍ଷା ଓ ସାମାଜିକ ସଚେତନତା-କେନ୍ଦ୍ରିକ କାର୍ଯ୍ୟକ୍ରମକୁ ନିୟମିତ ଅଭ୍ୟାସରେ ପରିଣତ କରିବା ସହ ପରିବେଶର ସ୍ଥାୟୀ ସଂରକ୍ଷଣ ପାଇଁ କାର୍ଯ୍ୟକ୍ରମମାନ ଆୟୋଜନ କରାଯିବାନେଇ ସ୍ପଷ୍ଟ କରାଯାଇଛି।

Post a Comment

أحدث أقدم
Header ADS