ନୀଳଗିରି, ୧୪/୯ (ଓଡ଼ିଶା ଆଦର୍ଶ): ରାଜ୍ୟ ସରକାର ଗରିବ ଖଟିଖିଆଙ୍କ ପାଇଁ ମାଳମାଳ ଯୋଜନା ପ୍ରଚଳନ କରିଥିବା ବେଳେ ଉକ୍ତ ଯୋଜନା କେତେଦୂର ଲୋକଙ୍କ ନିକଟରେ ପହଞ୍ଚି ପାରୁଛି ତାହାର ଏକ ନଗ୍ନ ନମୁନା ନୀଳଗିରି ବ୍ଳକ ଧୋବଶିଳା ପଞ୍ଚାୟତ ଉଡ଼ାପଦା ଗ୍ରାମରେ ଦେଖିବାକୁ ମିଳିଛି | ଭାଇର ମୃତ୍ୟୁ ପରେ ଭଉଣୀ ଦଶାହ କର୍ମ କରିବା ପାଇଁ ଘରେ ଘରେ ବୁଲି ଭିକ ମାଗିବା ଘଟଣା ରାଜ୍ୟ ସରକାରଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି | ସୂଚନା ଥାଉକି ଉକ୍ତ ଗ୍ରାମର ରମେଶ ବିନ୍ଧାଣି ଗତ ୫ ତାରିଖ ଦିନ ହୃଦଘାତ ରେ ମୃତ୍ୟୁ ହୋଇଥିବା ବେଳେ ନିଜର ଭଉଣୀ ଝୁନୁ ବିନ୍ଧାଣି ଅର୍ଥାଭାବ ପାଇଁ ଭାଇର ମୃତ ଦେହକୁ ପୋଡ଼ି ନପାରି ଶେଷରେ ନିକଟସ୍ଥ ସ୍ୱର୍ଣ୍ଣଚୁଡ ପାହାଡ଼ ପାଦ ଦେଶରେ ଗାତଖୋଳି ପୋତି ଦେଇଥିଲା | ପରେ ଭାଇର ଦଶାହ କର୍ମ ପାଇଁ ଅଣ୍ଟିରେ କାଣିକଉଡ଼ିଟିଏ ନଥିବା ବେଳେ କିପରି ଭାଇର ଶୁଦ୍ଧି କର୍ମ କରାଯିବ ସେଥିପାଇଁ କୌଣସି ଉପାୟ ନପାଇ ଭିକ୍ଷାବୃତ୍ତି କୁ ବାଛି ନେଇଥିଲା | ଭଉଣୀ ଝୁନୁ ଗାଁ ଗାଁ ବୁଲି ଭିକ ମାଗୁଥିଲା ବେଳେ ମାମୁଁର ଦଶାହ କର୍ମ ପାଇଁ ମା ସହିତ ଭଣଜା ଭାଣିଜୀ ମା କୁ ସହଯୋଗ କରିଥିଲେ | ଶୈଶବ ଅବସ୍ଥାରେ ଭଣଜା ଭାଣିଜୀ ମାମୁଁର ଶୁଦ୍ଧିକ୍ରିୟା ପାଇଁ ଭିକ ମାଗିବା ଦୃଶ୍ୟ ଯେତିକି ହୃଦୟ ବିଦାରକ ଥିଲା ପ୍ରଶାସନିକ ଏବଂ ରାଜନୈତିକ ନେତାମାନଙ୍କ ମଧ୍ୟରେ ସେତିକି ଆନ୍ତରିକତା ନଥିବାର ଦେଖିବାକୁ ମିଳିଥିଲା | ଖବର ପ୍ରସାରଣ ପରେ ଝୁନୁର ପରିବାରକୁ ବିଭିନ୍ନ ସ୍ବେଛାସେବୀ ଅନୁଷ୍ଠାନ ଓ ସଂଘ ପକ୍ଷରୁ ସହାୟତାର ହାତ ବଢ଼ାଇଛନ୍ତି | ନୀଳଗିରି ଅଞ୍ଚଳର ସ୍ବେଛାସେବୀ ଅନୁଷ୍ଠାନ ମହାବୀର ଫାଉଣ୍ଡେସନ ପକ୍ଷରୁ ଗତ ୧୨ ତାରିଖ ଦିନ ଝୁନୁ ବିନ୍ଧାଣି ଘରେ ପହଞ୍ଚି କିଛି ଆର୍ଥିକ ସହାୟତା ଏବଂ କିଛି ରେସନ ସାମଗ୍ରୀ ଯୋଗାଇ ଥିବା ବେଳେ ଆଜି ଅପରାହ୍ନ ରେ ନୀଳଗିରି ଟ୍ରକ ମାଲିକ ସଂଘ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି | ସଂଘର ସଭାପତି ଶିଶିର କୁମାର ରାଉତ, ସମ୍ପାଦକ ମାନସ ରଞ୍ଜନ ବାରିକ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ପକ୍କା ଘର ପାଇଁ ତୁରନ୍ତ ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ଏବଂ ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଙ୍କ ସହିତ କଥା ହୋଇ ଯଥା ସମ୍ଭବ ସୁ ବନ୍ଦୋବସ୍ତ କରିବେ ବୋଲି ପ୍ରତିଶୃତି ଦେଇଛନ୍ତି | ଏଭଳି ମହାନତା କାମ ପାଇଁ ଅଞ୍ଚଳବାସି ଟ୍ରକ ମାଲିକ ସଂଘର ସଭାପତି ଶ୍ରୀଯୁକ୍ତ ରାଉତଙ୍କୁ ପ୍ରଶଂସା କରିଛନ୍ତି | ସବୁଠାରୁ ଦୁଃଖଦ କଥା ମାମୁଁର ଶୁଦ୍ଧିକର୍ମ ପାଇଁ ଭଣଜା ଭାଣିଜୀ ଭିକ୍ଷା ବୃତ୍ତି କରିଥିବା ଚାଉଳ ବ୍ୟାଗକୁ ଦୟନୀୟ ଭାବେ ମୁଣ୍ଡରେ ମୁଣ୍ଡାଇ ଚାଲିବାର ଦୃଶ୍ୟ ମାନବ ସମାଜ ପାଇଁ ଶକ୍ତ ଚାପୁଡ଼ା ବୋଲି ଚର୍ଚ୍ଚା ଜୋର ଧରିଛି |
Post a Comment