ନୀଳଗିରି,୦୩/୦୮ ( ଓଡ଼ିଶା ଆଦର୍ଶ ) ବାଲି ଚୋରି କରିବାକୁ ଯାଇ ନଦୀ ପାଣିରେ ଫସିଲା ଜେସିବି। ନୀଳଗିରି ତହସିଲ ଅଧିନ ପୁନ୍ଦାଳ ବାଲିଖାଦାନରେ ବେଆଇନ ଭାବେ ବାଲି ଚୋରି କରୁଥିବା ବେଳେ ଏକ ଜେସିବି ମେସିନ ପୋତି ହୋଇ ଯାଇଥିବା ଦେଖିବାକୁ ମିଳିଛି।
ସୂଚନା ଅନୁଯାୟୀ ନୀଳଗିରି ବ୍ଲକ୍ ଅଧୀନ ବିଭିନ୍ନ ଅଞ୍ଚଳରେ ନିୟମିତ ଭାବେ ବେଆଇନ ବାଲି ଚୋରି ହେଉଥିବା ଅଭିଯୋଗ ହେଉ ଥିବା ବେଳେ ଶୁକ୍ରବାର ପୁନ୍ଦାଳ ସୋନନଦୀ ରୁ କେତେକ ଚୋରା ବାଲି ବ୍ୟବସାୟୀ ବାଲି ଉଠାଉଥିବା ଖବର ପାଇ ନୀଳଗିରି ତହସିଲଦାର ଦିପ୍ତିମୟୀ ବେହେରା, ଅଯୋଧ୍ୟା ଆରଆଇ ପ୍ରମୁଖ ଚଢ଼ାଉ କରିଥିଲେ। ଚଢ଼ାଉ ସମୟରେ ଭୟରେ ବାଲି ବ୍ୟବସାୟୀ ମାନେ ନଦୀ ପାଣିରେ ଜେସିବି ମେସିନ କୁ ଛାଡି ଛତ୍ରଭଙ୍ଗ ଦେଇଥିବା ବେଳେ ଜେସିବି ମେସିନ ଡ୍ରାଇଭର ନଦୀ ପାଣିରେ ପହଁରି ନଦୀ ପାରେଇ ଯାଇଥିଲା ଫଳରେ ନଦୀ ପାଣିରେ ଉକ୍ତ ଜେସିବି ମେସିନଟି ଅଧା ବୁଡ଼ିଯାଇଥିଲା। ତେବେ ନଦୀ ପାଣିରୁ ମେସିନକୁ ଉଦ୍ଧାର କରାଯାଇ ନୀଳଗିରି ଥାନାରେ ଜିମା ଦିଆଯାଇଥିବା ବେଳେ ଖଣି ବିଭାଗକୁ ଏହି ମାମଲା ହସ୍ତାନ୍ତର କରାଯାଇଥିବା ବେଳେ ଖଣି ବିଭାଗ ଏହି ମାମଲାରେ ପାଞ୍ଚ ଲକ୍ଷ ଟଙ୍କା ଜରିମାନା କରିଥିବା ଜଣାପଡିଛି। ତେବେ ଏହି ଜେସିବି ମେସିନଟି ଭଦ୍ରକ ଅଞ୍ଚଳର ସନ୍ତୋଷ ମହାରଣାଙ୍କ ନାମରେ ଥିବା ବେଳେ ଚୋରା ବାଲି ବ୍ୟବସାୟୀ ମାନେ ଲିଜରେ ଆଣି ବାଲି ଚୋରି କରୁଥିବା ସ୍ଥାନୀୟ ଅଞ୍ଚଳବାସୀ କହିଛନ୍ତି। ଏହି ଘଟଣାରେ ନୀଳଗିରି ତହସିଲଦାର ଏବଂ ବାଲେଶ୍ଵର ଖଣି ବିଭାଗ ପକ୍ଷରୁ ପୃଥକ୍ ମାମଲା ରୁଜୁ କରାଯିବା ସହିତ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
Post a Comment