ମାହାଙ୍ଗାରେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା।
ବଦଳିବ କ୍ଷୀତିଜ୍ୟୋତି ଆଶ୍ରମର କାୟା।
ମାହାଙ୍ଗା,୫/୮(ଓଡ଼ିଶା ଆଦର୍ଶ):ମାହାଙ୍ଗା ବ୍ଳକର ଆଧ୍ୟାତ୍ମିକ ପୀଠ ସ୍ଥଳି ମାହାଙ୍ଗା ଗ୍ରାମର ବଗାର ସ୍ଥିତ ବିଶ୍ଵ ଭାତୃତ୍ବ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତି ଆଶ୍ରମର ସର୍ବାଙ୍ଗିନ ବିକାଶ,ଭିତ୍ତିଭୂମି ବିକାଶ ନିମନ୍ତେ ସ୍ଥିତି ଅନୁଧ୍ୟାନ ନିମନ୍ତେ ଆଜି ରାଜ୍ୟ ସରକାରଙ୍କ ଏକ ପ୍ରତିନିଧ ଦଳ ଆଶ୍ରମ ପରିଦର୍ଶନ କରିଛନ୍ତି। ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ନିମନ୍ତେ ଆଶ୍ରମ ପରିସରରେ ସ୍ଥାନୀୟ ଗ୍ରାମବାସୀ ଓ ପରିଷଦର ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନିର୍ଦ୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ସଚିବ ଅନୁପମ ସାହା,କଟକ ଜିଲ୍ଲାପାଳ ଦତାତ୍ରୟ ଭାଓ ସାସେବ ଶିନ୍ଧେ ଓ ଉପଜିଲ୍ଲାପାଳ ଦିବ୍ୟଜ୍ୟୋତି ସ୍ମୃତି ରଞ୍ଜନ ଦେଓଙ୍କ ସହ ବିଭାଗିୟ ମୁଖ୍ୟଯନ୍ତ୍ରୀ ଶ୍ରୀଧର ରାଉତ, ବିଡିଓ ତିଳୋତ୍ତମା ପୃଷ୍ଟି, ତହସିଲଦାର ସୁଭାଶିଷ ପାଲଟା ପ୍ରମୁଖ ଆଶ୍ରମରେ ପହଞ୍ଚି ଆଶ୍ରମର କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ଆଶ୍ରମ ପରିସରରେ ବସବାସ କରୁଥିବା ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯିବା ସହ ସେମାନଙ୍କର ରହିବା ପାଇଁ ସମସ୍ତ ବନ୍ଦୋବସ୍ତ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଆଶ୍ରମରେ ପାନ୍ଥନିବାସ, ଚତୁଯୁଗୀୟ ନାମ ମଣ୍ଡପ, ଆନନ୍ଦ ବଜାର ଆଦି ନିର୍ମାଣ କରିବା ସହ ଆଶ୍ରମର ସୌନ୍ଦର୍ଯ୍ୟକରଣ ପାଇଁ ପ୍ରସ୍ତାବିତ ସ୍ଥାନ ପରିଦର୍ଶନ କରିଥିଲେ। ଆଲୋଚନାରେ ବଗାର ଆଶ୍ରମର ସାଂଗଠନିକ ମୁଖ୍ୟ କୈଳାସ ଚନ୍ଦ୍ର ମହାନ୍ତି, ସଭାପତି ନିମାଇଁ ଚରଣ ଦାସ, ଉପସଭାପତି ବିଜୟାନନ୍ଦ ଜେନା, ସାଧାରଣ ସଂପାଦକ ସୁରେଶ ଜେନାଙ୍କ ସମେତ ପରିଷଦର ସମସ୍ତ କାର୍ଯ୍ୟକର୍ତା ଓ ବସ୍ତି କମିଟିର ସଭ୍ୟ ମାନେ ଅଂଶ ଗ୍ରହଣ କରିଥିଲେ । ମାନ୍ୟାବର ମୁଖ୍ୟମନ୍ତ୍ରୀ ବଗାର ଆଶ୍ରମର ଭିତ୍ତିଭୂମି ବିକାଶ ନିମନ୍ତେ ଏଭଳି ଏକ ଉଚ୍ଚ କୋଟିର ପଦକ୍ଷେପ ନେଇଥିବାରୁ ମାହାଙ୍ଗାବାସୀ ଏବଂ ଆଶ୍ରମର ଦିକ୍ଷିତ ଭାଇଭଉଣୀଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ପ୍ରଦାନ କରାଯାଇଛି ।



Post a Comment