ବର୍ଷା ଆସିଲେ ବିଚ୍ଛିନ୍ନ ହେଉଛି ମୌଲାକୋନା; କାଦୁଅ ରାସ୍ତାରେ ନୟାନ୍ତ ଗ୍ରାମବାସୀ, ପକା ରାସ୍ତା ପାଇଁ ଆକୁଳ ନିବେଦନ
ଲଷ୍ମୀପୁର,୫/୮ (ଓଡ଼ିଶା ଆଦର୍ଶ):ବିକାଶର ବଡ଼ ବଡ଼ ଦାବି ମଧ୍ୟରେ ଆଜି ବି କୋରାପୁଟ ଜିଲ୍ଲାର ଅନେକ ଗାଁ ମୌଳିକ ସଡ଼କ ସୁବିଧାରୁ ବଞ୍ଚିତ। ତାହାର ଜ୍ୱଳନ୍ତ ଉଦାହରଣ ହେଉଛି ଲଷ୍ମୀପୁର ବ୍ଲକ ଅନ୍ତର୍ଗତ ଦଶମନ୍ତପୁର ଥାନା ଅଧୀନ ମୌଲାକୋନା ଗ୍ରାମ। ପ୍ରାୟ ୬୦ ପରିବାର ବସବାସ କରୁଥିବା ଏହି ଗ୍ରାମକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ବର୍ଷା ହେଲେ କାଦୁଅ ସମୁଦ୍ରରେ ପରିଣତ ହୋଇଯାଉଛି। ଫଳରେ ପ୍ରତିଦିନ ଗ୍ରାମବାସୀଙ୍କୁ ଚରମ ଦୁର୍ଭୋଗ ସହିବାକୁ ପଡ଼ୁଛି।ଦଶମନ୍ତପୁର ବ୍ଲକକୁ ସଂଯୋଗ କରୁଥିବା ଏହି ରାସ୍ତାରେ ସାମାନ୍ୟ ବର୍ଷା ହେଲେ ଘନ କାଦୁଅ ଜମିଯାଏ। ଏହି କାରଣରୁ ସ୍କୁଲକୁ ଯାଉଥିବା ଛାତ୍ରଛାତ୍ରୀ, ଗର୍ଭବତୀ ମହିଳା, ବୃଦ୍ଧବୃଦ୍ଧା, ରୋଗୀ ଓ ଦୈନନ୍ଦିନ କାର୍ଯ୍ୟରେ ବାହାରକୁ ଯାଉଥିବା ଲୋକମାନେ ଜୀବନକୁ ବାଜି ଲଗାଇ ଯାତାୟାତ କରିବାକୁ ବାଧ୍ୟ ହେଉଛନ୍ତି। ଅନେକ ସମୟରେ ଲୋକେ କାଦୁଅରେ ଖସି ଆହତ ହେଉଥିବା ମଧ୍ୟ ଅଭିଯୋଗ ହେଉଛି । ଗ୍ରାମବାସୀଙ୍କ କହିବା ଅନୁସାରେ, ବହୁ ବର୍ଷ ଧରି ଏହି ରାସ୍ତାର ସ୍ଥାୟୀ ଉନ୍ନତି କୋରଣ ପାଇଁ ଫଳପ୍ରଦ ପଦକ୍ଷେପ ନିଆଯାଇନାହିଁ। ଯୋ ଦ୍ଵାରା ଆଜି ଏହି ଗ୍ରାମର ଯୁବକ ମାନେ ଗଣମାଧ୍ୟମ ଜରିଆରେ ସରକାର ଓ ପ୍ରଶାସନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଗ୍ରାମବାସୀଙ୍କ ଅନୁରୋଧ ଓ ଦାବି, ଉକ୍ତ ରାସ୍ତାକୁ ଶୀଘ୍ର କଂକ୍ରିଟ କିମ୍ବା ପିଚୁ ରାସ୍ତାରେ ପରିଣତ କରାଯାଉ, ଯାହାଦ୍ୱାରା ବର୍ଷାଦିନରେ ଯାତାୟାତ ସ୍ୱାଭାବିକ ହେବ ଏବଂ ଦୁର୍ଘଟଣାର ଆଶଙ୍କା କମିବ। ଦୀର୍ଘଦିନର ଏହି ସମସ୍ୟା ପ୍ରତି ପ୍ରଶାସନ କେବେ ସକାରାତ୍ମକ ପଦକ୍ଷେପ ନେବ, ତାହାକୁ ନେଇ ସମଗ୍ର ଅଞ୍ଚଳବାସୀ ଏବେ ଅପେକ୍ଷାରେ ରହିଛନ୍ତି।




Post a Comment