ଅଣସର ଚକାରେ ଭକ୍ତଙ୍କୁ ନବଯୌବନ ଦର୍ଶନ ଦେଉଛନ୍ତି ମହାବାହୁ
ନୀଳଗିରି,୧୪/୭(ଓଡ଼ିଶା ଆଦର୍ଶ):ନୀଳାଦ୍ରିନାଥଙ୍କ ମାନବୀୟ ଲୀଳାର ଚରମ ଅଭିବ୍ୟକ୍ତି ହେଉଛି ଅଣସର । ଜ୍ୟେଷ୍ଠ ପୂର୍ଣ୍ଣିମାରେ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପୀଡ଼ିତ ହୁଅନ୍ତି ଜଗତର ନାଥ । ଦୀର୍ଘ ୧୫ ଦିନ କାଳ ଅନ୍ଧାରୀ ଅଣସର ଘରେ ଚାଲେ ମହାପ୍ରଭୁଙ୍କ ଗୁପ୍ତ ଉପଚାର । କାରୁଣ୍ୟ ଓ ବିରହର ଏହି କାଳଖଣ୍ଡ ପରେ, ଯେତେବେଳେ ପ୍ରଭୁ ସୁସ୍ଥ ହୋଇ ଭକ୍ତଙ୍କ ସାମ୍ନାକୁ ଆସନ୍ତି... ତାହା ହିଁ ହେଉଛି ସେହି ଦୁର୍ଲ୍ଲଭ ‘ନବଯୌବନ ଦର୍ଶନ’। ଯାହା ଆଜି ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିରରେ ଚାଲିଛି । ଅଣସର ପିଣ୍ଡିରୁ ବାହାରିବା ପୂର୍ବରୁ ମହାପ୍ରଭୁଙ୍କ ଶ୍ରୀଅଙ୍ଗକୁ ଚିତ୍ରକାର ସେବକମାନେ ନୂଆ ରୂପ ପ୍ରଦାନ କରନ୍ତି । ଏହାକୁ ଶ୍ରୀଅଙ୍ଗ ଫିଟା ଓ ବନକ ଲାଗି କୁହାଯାଏ । ତା’ପରେ ଆସେ ସେହି ସ୍ୱର୍ଣ୍ଣିମ ମୁହୂର୍ତ୍ତ ନେତ୍ରୋତ୍ସବ । ସେବକଙ୍କ ତୂଳୀ ସ୍ପର୍ଶରେ ଜୀବନ୍ତ ହୋଇଉଠନ୍ତି ଦାରୁବ୍ରହ୍ମ । ଚକ୍ଷୁଦାନ ସହ ସମ୍ପୂର୍ଣ୍ଣ ହୁଏ ଅପରୂପ ଶୃଙ୍ଗାର। ନବ ଅନୁରାଗରେ ଉଦ୍ଭାସିତ ହୁଏ ମହାପ୍ରଭୁଙ୍କ ନବଯୌବନ ରୂପ । ଲାଗେ ସତେ ଯେମିତି କୋଟି କନ୍ଦର୍ପର ଲାବଣ୍ୟ ଝରିପଡୁଛି ଶ୍ରୀମୁଖରୁ ! ଏହି ଦର୍ଶନ ପାଇଁ ଭକ୍ତଟିଏ ବର୍ଷସାରା ଚାହିଁ ରହିଥାଏ । ଶ୍ରୀମନ୍ଦିର ବେଢ଼ାରେ ହରିବୋଲ ଓ ହୁଳହୁଳି ଧ୍ୱନିରେ ଗଗନ ପବନ ପ୍ରକମ୍ପିତ ହୁଏ। ଯେତେବେଳେ ସାହାଣମେଲା ଦର୍ଶନ ଆରମ୍ଭ ହୁଏ, ଭକ୍ତ ଓ ଭଗବାନଙ୍କ ମଧ୍ୟରେ ଥିବା ବିରହର କାନ୍ଥ ଭାଙ୍ଗି ଚୂରମାର ହୋଇଯାଏ। କୁହାଯାଏ, ନବଯୌବନ ଦର୍ଶନ କେବଳ ଏକ ପରମ୍ପରା ନୁହେଁ, ଏହା ହେଉଛି ଭକ୍ତିର ପୁନର୍ଜନ୍ମ। ଏହି ଦର୍ଶନ ପରେ ମହାପ୍ରଭୁ ରଥଯାତ୍ରା ପାଇଁ ସଜବାଜ ହୁଅନ୍ତି । ସେଥିପାଇଁ ଆଜି ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରି ଜଗନ୍ନାଥ ମନ୍ଦିରର ହୋଇ ଉଠିଛି ଚଳଚଞ୍ଚଳ। ବ୍ରହ୍ମାଣ୍ଡ ଗୋସାଇଁ ଙ୍କ ଅପୂର୍ବ ଦୃଶ୍ୟ ଯାହା ଚର୍ମ ଚକ୍ଷୁରେ ଦେଖି ଭକ୍ତ ଓ ଶ୍ରଦ୍ଧାଳୁ ହେଉଛନ୍ତି ଧନ୍ୟ ଧନ୍ୟ।




Post a Comment