Header ADS

ମାଲିକଙ୍କୁ ଝୁରି ଝୁରି ଖାଇବାରେ ମୁହଁ ଦେଉନାହିଁ ଗାଇ

 ମାଲିକଙ୍କୁ ଝୁରି ଝୁରି ଖାଇବାରେ ମୁହଁ ଦେଉନାହିଁ ଗାଇ 



ବାଲେଶ୍ଵର,୨୫/୪(ଓଡ଼ିଶା ଆଦର୍ଶ):କେବଳ ମଣିଷ ଭୁଲ କଲେ ଯେ ଅନୁତାପ କରେ, ତାହା ନୁହେଁ । ଏକ ବାକ୍‌ ଶକ୍ତିହୀନ ପ୍ରାଣୀଟିଏ ମଧ୍ୟ ନିଜ ଭୁଲ ପାଇଁ ଦୁଃଖ ଓ ଅନୁତାପ କରିଥାଏ । ଏପରି ହୃଦୟସ୍ପର୍ଶୀ ଦୃଶ୍ୟ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ଖୁସାଲିଗଞ୍ଜ ଗାଁରେ । ଯେଉଁଠି ଗାଈଟିଏ ନିଜର ଏକ ଭୁଲ ଯୋଗୁଁ ସେ ସବୁଦିନ ପାଇଁ ହରାଇବସିଛି ତା'ର ପ୍ରିୟ ମାଲିକଙ୍କୁ । ଯାହାଙ୍କ ହାତରୁ ଖାଇ ପିଇ ବଡ଼ ହୋଇଥିଲା, ଆଜି ତାଙ୍କ ମୃତ୍ୟୁ ପାଇଁ ନିଜକୁ ଦୋଷୀ ଭାବି ଖାଇବା ପିଇବା ଛାଡ଼ି ଦେଇଛି । ୫ବର୍ଷର ଗାଈଟି ମାଲିକଙ୍କୁ ଦେଖି ଖୁସିରେ ପଘା ଛିଣ୍ଡାଇ ଦୌଡ଼ି ଯାଉଥିଲା । ହେଲେ ଅଜାଣତରେ ମାଲିକଙ୍କ ସହିତ ଧକ୍କା ହେବାରୁ, ପଡ଼ି ଯାଇଥିଲେ ମାଲିକ ଓ ପରେ ଗୁରୁତର ଆଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଥିଲା । ଆଉ ସେହିଦିନ ଠାରୁ ଗାଈଟି ଖାଇବା ପିଇବା ଛାଡ଼ି ଦେଇଛି । ଗୋଟିଏ ସ୍ଥାନରେ ଠିଆ ହୋଇ ରହିଛି । ନା ଘରକୁ ଫେରୁଛି... ନା କାହାକୁ ନିଜ ପାଖକୁ କାହାକୁ ଆସିବାକୁ ଦେଉଛି । ଆଜକୁ ୧୦ରୁ ଅଧିକ ଦିନ ବିତିଗଲେ ସୁଦ୍ଧା ମାଲିକଙ୍କୁ ଝୁରି ଝୁରି ଖାଇବାରେ ମୁହଁ ଦେଉନାହିଁ ।ସତେ ଯେମିତି ଅନୁତାପ ନିଆଁରେ ଜଳୁଛି ଗାଈ । ସତେ ଯେପରି ମାଲିକଙ୍କ ଜୀବନ ନେବା ଦୋଷ ତାକୁ ଶୁଆଇ ବସାଇ ଦେଉନାହିଁ । କେହି ଖାଇବାକୁ ଯାଚିଲେ ମୁଁହ ଫେରାଇ ନେଉଛି । ପ୍ରାୟତଃ ଗୋଟିଏ ସ୍ଥାନରେ ଠିଆ ହୋଇ ଲୁହ ଗଡ଼ାଇ ଝୁରି ଚାଲିଛି ନିଜ ମାଲିକଙ୍କୁ । ନଖାଇ ନ ପିଇ ଦିନକୁ ଦିନ ଗାଈଟି ଦୁର୍ବଳ ହେବାରେ ଲାଗିଛି । ଏପରିକି ଠିଆ ହେବା ପାଇଁ ମଧ୍ୟ ଗାଈଟି ସଂଘର୍ଷ କରୁଥିବା କିଛି ଗ୍ରାମବାସୀ ଦେଖିବାକୁ ପାଇଛନ୍ତି । ବାଲେଶ୍ଵର ଜିଲ୍ଲା ରେମୁଣା ବ୍ଲକ ଖୁସାଲିଗଞ୍ଜ ଗ୍ରାମରେ ରାମଚନ୍ଦ୍ର ମହାରଣା ଓ ସୁନତି ମହାରଣାଙ୍କ ନିଜ ଗୁହାଳରେ ୫ରୁ ୬ଟି ଗାଈ ରଖି ପାଳିଥିଲେ । ଏହା ମଧ୍ୟରେ ପ୍ରାୟ ପାଞ୍ଚବର୍ଷ ପୂର୍ବେ ତାଙ୍କ ଗୁହାଳରେ ଏକ ବାଛୁରୀ ଜନ୍ମ ହୋଇଥିଲା । ଅତି ସ୍ନେହ ଆଦରରେ ଉଭୟ ଦମ୍ପତ୍ତି ତା'ର ଲାଳନପାଳନ କରିଥିଲେ । ଗାଁର ଜଣେ ଯୁବକ ତାଙ୍କୁ ଏକ ଗାଈ ଲାଳନ ପାଳନ ପାଇଁ ଅନୁରୋଧ କରିବା ପରେ ସେହି ପାଞ୍ଚ ବର୍ଷ ବୟସର ଗାଈକୁ ରାମଚନ୍ଦ୍ର ତାଙ୍କୁ ଦାନ ସ୍ୱରୂପ ଦେଇଥିଲେ । ଉକ୍ତ ଯୁବକ ଗାଈ ନେଇ ଯାଉଥିବା ବେଳେ ପଘା ଛିଣ୍ଡାଇ ଗାଈ ପୁଣି ନିଜ ମାଲିକଙ୍କ ଆଡକୁ ଦୌଡ଼ି ଆସିବା ବେଳେ, ଦୁର୍ଭାଗ୍ୟବଶତଃ ରାସ୍ତା କଡ଼ରେ ଠିଆ ହୋଇଥିବା ମାଲିକଙ୍କ ଦେହରେ ସେ ବାଡେଇ ଯାଇଥିଲା । ଯାହାଦ୍ୱାରା ମାଲିକ ରାମଚନ୍ଦ୍ର ରାସ୍ତା ସ୍ଲାବ ଉପରେ ପଡି ଯାଇଥିଲେ । ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ତାଙ୍କୁ ତୁରନ୍ତ ଭୁବନେଶ୍ୱରର ଏକ ଘରୋଇ ମେଡିକାଲକୁ ନେଇଥିବା ବେଳେ, ଗତ ୧୨ ତାରିଖରେ ତାଙ୍କ ଦେହାନ୍ତ ହୋଇଯାଇଥିଲା ।

Post a Comment

Previous Post Next Post
Header ADS