୯୧ ତମ ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।
ନୀଳଗିରି,୨୪/୩(ଓଡ଼ିଶା ଆଦର୍ଶ):ନୀଳଗିରି ପଞ୍ଚାୟତ ସମିତି ସମ୍ମିଳନୀ କକ୍ଷରେ ଦିବା ୧୧ଘଟିକା ସମୟରେ ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ଆସନ୍ତା ୯୧ ତମ ଉପଖଣ୍ଡ ସ୍ତରୀୟ ସ୍ବତନ୍ତ୍ର ଓଡ଼ିଶା ଦିବସ ପାଳନକୁ ସରସ, ସୁନ୍ଦର, ଉତ୍ସାହ ଓ ଉଦ୍ଦୀପନା ସହ ମହାଡମ୍ୱରରେ ପାଳନ କରାଯିବା ପାଇଁ ଉପଜିଲ୍ଲାପାଳ ତଥା ଅଧକ୍ଷ ଶ୍ରୀମତୀ ରଥ ଉପସ୍ଥିତ ସମସ୍ତ ସଦସ୍ୟ/ସଦସ୍ୟାଙ୍କ ସହୋଯୋଗ କାମନା କରିଥିଲେ। ଏହି ବୈଠକରେ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଗୋବର୍ଦ୍ଧନ ବିଶ୍ଵାଳ ବିଗତ ବର୍ଷର ବିବରଣୀ ପାଠ ଅନୁଯାୟୀ ପାଳନ କମିଟିର ଅଧ୍ୟକ୍ଷ ତଥା ଉପଜିଲ୍ଲାପାଳ ଶ୍ରୀମତୀ ରଥ ଚଳିତ ବର୍ଷରେ ବିଭିନ୍ନ କାର୍ଯ୍ୟକ୍ରମକୁ ଆଲେଚନା କରି ସମସ୍ତଙ୍କ ମତାମତ ନେଇ ସ୍ଥିର କରାଯାଇଅଛି। ଏହି ଐତିହାସିକ ଦିବସ ପାଳନ ପରିପ୍ରେକ୍ଷୀରେ ପ୍ରତ୍ୟୁଷ ଘ.୪ଟୀକା ସମୟରେ ନୀଳଗିରି ସହରାଞ୍ଚଳରେ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଡାକ ବାଜି ଯନ୍ତ୍ର ଯୋଗେ "ଉତ୍କଳ ବନ୍ଦନା"ପ୍ରଚାର କରାଯିବ। ନୀଳଗିରି ଏନ୍. ଏ. ସି.ଅନ୍ତର୍ଗତ ସମସ୍ତ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଜାତୀୟତା ସ୍ଲୋଗାନ ଏବଂ ଦେଶାତ୍ମକ ସଙ୍ଗୀତ ଗାନ ପୂର୍ବକ ପ୍ରଭାତ ଫେରି ରେ ବାହାରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ସମ୍ମିଳିତ ହେବା ପାଇଁ ନିଷ୍ପତ୍ତି ହୋଇଛି। ପରେ ପରେ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ବରେଣ୍ୟ ସମ୍ମାନୀତ ଅତିଥି ଗଣ ଉତ୍କଳ ଗୌରବ ମଧୁସୂଦନ ଦାସ, କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରାବାସ ରେ ଥିବା ଉତ୍କଳ ମଣି ଗୋପବନ୍ଧୁ ଦାସ ଏବଂ ଉପଖଣ୍ଡ ଚିକିତ୍ସାଳୟ ପାର୍ଶ୍ୱସ୍ଥ ବ୍ୟାସ କବି ଫକୀର ମୋହନଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯିବା ପାଇଁ ସ୍ଥିର କରାଯାଇଅଛି। ଏହା ପରେ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ସମସ୍ତ ବରେଣ୍ୟ ସମ୍ମାନୀତ ଅତିଥି ଗଣ ଛାତ୍ର ଛାତ୍ରୀ ମାନଙ୍କ ଗହଣରେ ପି ଏମ ଶ୍ରୀ କୈଳାସ ଚନ୍ଦ୍ର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ସହ ଓଡ଼ିଶାର ମହାନ ମନିଷୀ ରାଷ୍ଟ୍ର ନାୟକଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରାଯିବା ସମୟରେ କଳାବିକାଶ କେନ୍ଦ୍ର,ନୀଳଗିରି ପକ୍ଷରୁ" ବନ୍ଦେ ଉତ୍କଳ ଜନନୀ"ବନ୍ଦନା ପରିବେଷଣ କରାଯିବ । ଏତଦ୍ ଭିନ୍ନ ଏହି ମହାନ ପବିତ୍ର ଜାତୀୟ ଦିଵସ ପାଳନ ଅବସରରେ ଏକ ସାଧାରଣ ସଭା ବିଦ୍ୟାଳୟ ପରିସରରେ ଆୟୋଜନ କରାଯିବ।ଏଥିରେ ମୁଖ୍ୟ ଅତିଥି ସମେତ ଅନ୍ୟାନ୍ୟ ବରେଣ୍ୟ ସମ୍ମାନୀତ ଅତିଥି ଗଣ ଏହି ମହାନ ଦିବସ ପାଳନର ଆଭିମୁଖ୍ୟ ମହତ୍ତ୍ୱ ସମ୍ପର୍କରେ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ ଓଡିଆ ଜାତୀୟତା ବୋଧର ସନ୍ଦେଶ ଓ ଭାବାବେଗ ଜାଗ୍ରତ କରିବେ। ଏହି କାର୍ଯ୍ୟକ୍ରମରେ ପୂର୍ବରୁ ଗୋଷ୍ଠୀ ଶିକ୍ଷାଧିକାରୀ, ନୀଳଗିରି ୪ଗୋଟି ସ୍ତରରେ ବକ୍ତୃତା, ପ୍ରବନ୍ଧ, ଚିତ୍ରାଙ୍କନ, ଝୋଟି ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ୯୧ ତମ ଉପଖଣ୍ଡ ସ୍ତରୀୟ ଓଡ଼ିଶା ଦିବସ ପାଳନ ନିମନ୍ତେ ଆୟୋଜିତ ବୈଠକରେ ଉପଜିଲ୍ଲାପାଳ ତଥା ପାଳନ କମିଟିର ଅଧ୍ୟକ୍ଷ ଶ୍ରୀମତୀ ଶୁଭଶ୍ରୀ ରଥ, ଡେପୁଟୀ କଲେକ୍ଟର ଶ୍ରୀଯୁକ୍ତ ଦେବୀଦତ୍ତ ପ୍ରୀତି ରଞ୍ଜନ ବେହେରା, ଏସ.ଡି.ଏମ.ଓ ଡ. ସରୋଜିନୀ ପ୍ରଧାନ, ବି. ଡି. ଓ. ଶ୍ରୀଯୁକ୍ତ ବିକ୍ରମ କେଶରୀ ପରିଡ଼ା, ଏନ୍. ଏ.ସି. କାର୍ଯ୍ୟ ନିର୍ବାହୀ ଅଧକ୍ଷ ଶ୍ରୀଯୁକ୍ତ ମହେନ୍ଦ୍ର ନାଥ ବେହେରା, ଏସ.ଡି. ପି. ଓ. ଶ୍ରୀଯୁକ୍ତ ପ୍ରମୋଦ କୁମାର ମଲ୍ଲିକ ସମେତ ନୀଳଗିରିର ବରିଷ୍ଠ ନାଗରିକ, ବୁଦ୍ଧିଜୀବି, ଆଇନଜୀବୀ, ବିଭିନ୍ନ ଅନୁଷ୍ଠାନର କର୍ମକର୍ତ୍ତା, ସାମଜ ସେବୀ,ବିଭିନ୍ନ ବିଭାଗୀୟ ପଦାଧିକାରୀ ଲୋକ ପ୍ରତିନିଧି ପୁର୍ବତନ ଲୋକ ପ୍ରତିନିଧି, ଶିକ୍ଷାନୁଷ୍ଠାନର କର୍ମକର୍ତ୍ତା ସମେତ ଉଭୟ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମର ପ୍ରତିନିଧି ଗଣ ଯୋଗ ଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଶେଷରେ ଉପଖଣ୍ଡ ପ୍ରସାଶନ ପକ୍ଷରୁ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀ ବିଶ୍ୱାଳ ସମସ୍ତଙ୍କୁ କୃତଜ୍ଞତା ସହ ଧନ୍ୟବାଦ ଅର୍ପଣ କରିଥିଲେ।



Post a Comment