ଶ୍ରୀହୀନ ହେବାକୁ ଯାଉଛି ମା' ଭୂଦାରଚଣ୍ଡୀଙ୍କ ପୀଠ। ପ୍ରତିକାର ନେଇ ଉଠିଲା ଦାବୀ।
ନୀଳଗିରି,୧୨/୩(ଓଡ଼ିଶା ଆଦର୍ଶ):ଉତ୍ତର ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ମଧ୍ୟରେ ସଜନାଗଡର ମା'ଭୂଦାରଚଣ୍ଡୀ ପୀଠର ସ୍ୱତନ୍ତ୍ରତା ରହିଛି। ମା'ଙ୍କ ସ୍ଥାପନାନେଇ କୌଣସି ନିର୍ଦ୍ଦିଷ୍ଟ ତଥ୍ୟ ନଥିଲେ ମଧ୍ୟ ଲୋକକଥା ଅନୁଯାୟୀ ୧୪୫୨ଖ୍ରୀଷ୍ଟାବ୍ଦରେ ରାଜା ବିରାଟ ଭୂଜଙ୍ଗ ମାନ୍ଧାତା ମା'ଙ୍କ ସ୍ଥାପନ କରିଥିଲେ। ପରବର୍ତ୍ତୀ ସମୟରେ ରାଜା ଶ୍ୟାମଚନ୍ଦ୍ର ମର୍ଦ୍ଦରାଜ ହରିଚନ୍ଦନ ସ୍ୱପ୍ନାଦେଶପାଇ ମା'ଙ୍କ ମନ୍ଦିର ନିର୍ମାଣ କରିଥିବା ଜଣାଯାଏ। ତେବେ ପ୍ରାଚୀନ କୀର୍ତ୍ତିରାଜିରେ ପରିପୂର୍ଣ୍ଣ ମନ୍ଦିରର ନିଖୁଣ କାରୁକାର୍ଯ୍ୟ ଏବେ ବିପଦରେ। ରକ୍ଷଣାବେକ୍ଷଣ ଅଭାବରୁ ଶ୍ରୀହୀନ ହେବାକୁ ଯାଉଛି ମନ୍ଦିର ଏବଂ ମନ୍ଦିର ବେଢ଼ା। ରାଜ୍ୟ ଦେବୋତ୍ତର ବିଭାଗ ଅଧିନରେ ଥିବା ଏହି ମନ୍ଦିରର ସୁରକ୍ଷାପାଇଁ ପ୍ରଶାସନର ଆନ୍ତରିକତା ନଥିବା ବାରିହୁଏ। ଦୀର୍ଘ ୫/୬ବର୍ଷ ତଳେ ମନ୍ଦିରର ମୁଖ୍ୟପୂଜକ ବିଜୟ କୁମାର ପଣ୍ଡାଙ୍କ ଉଦ୍ୟମରେ କିଛି ଶ୍ରଦ୍ଧାଳୁ, ଭକ୍ତ ଏବଂ ବଦାନ୍ୟବ୍ୟକ୍ତିଙ୍କ ସହାୟତାରେ ମନ୍ଦିରର ରଙ୍ଗ ଦିଆଯାଇଥିବା ବେଳେ ଏବେ ମୁଖ୍ୟମନ୍ଦିର, ନାଟମଣ୍ଡପ ଏବଂ ମନ୍ଦିର ବେଢ଼ାରେ ସିଉଳିଲାଗି କଳା ପଡ଼ିଯିବା ଏବଂ ବର୍ଷାଦିନେ ଅଧିକାଂଶସ୍ଥାନରୁ ପ୍ଲାଷ୍ଟର ଛାଡି ପାଣିଗଳିବା ଦେଖିବାକୁ ମିଳିଛି। ଫଳରେ ମନ୍ଦିରର ସ୍ଥାୟୀତ୍ବନେଇ ଆଶଙ୍କା ପ୍ରକାଶପାଇଛି। ନୀଳଗିରି ଠାକୁରମାହାଲକୁ ପୂଜକ ବିଜୟ ପଣ୍ଡା ଏନେଇ ଅବଗତ କରିଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଇ ନାହିଁ। ତେବେ ରାଜ୍ୟ ପର୍ଯ୍ୟଟନବିଭାଗ ଦ୍ଵାରା ୨୦ଲକ୍ଷ ଟଙ୍କାର ଅନୁଦାନ ଆସିଥିଲେ ହେଁ ଦୁଇଟି ପର୍ଯ୍ୟାୟରେ ଟେଣ୍ଡର ହୋଇଥିଲା। ମାତ୍ର ପ୍ରଥମଥର ଜଣେ ମାତ୍ର ଆବେଦନକରିଥିବା ବେଳେ ଦ୍ଵିତୀୟଥର ଟେଣ୍ଡରରେ କେହି ଟେଣ୍ଡରଧାରି ଆବେଦନ କରିନଥିବାରୁ ଏହାର ଉନ୍ନତିକରଣ ହୋଇପାରିନଥିବା ନୀଳଗିରି ବିଡ଼ିଓ ବିକ୍ରମକେଶରୀ ପରିଡା ସୂଚନା ଦେଇଛନ୍ତି। ଯଦି ଖୁବଶୀଘ୍ର ମନ୍ଦିରର ମରାମତି ଓ ରଙ୍ଗକାର୍ଯ୍ୟ ନହୁଏ ତେବେ ମନ୍ଦିର ଶ୍ରୀହୀନହେବା ସହିତ ପାଣିଗଳି ମନ୍ଦିରପ୍ରତି ବିପଦଥିବାର ଆଶଙ୍କା ରହିଛି। ଏଦିଗରେ ପ୍ରଶାସନ ଯତ୍ନବାନ ନହେଲେ ପୁରାତନ କୀର୍ତ୍ତିରାଜିର ଏହି ମନ୍ଦିରଟି ନିଜର ଅସ୍ତିତ୍ବ ହରାଇବବୋଲି ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ପ୍ରକାଶପାଇଛି।



إرسال تعليق