ଚୋରାପଥର ମାଫିଆଙ୍କୁ ଶକ୍ତ ଧକ୍କା; ଜାରି ହେଲା ୧୬୩ଧାରା ।
ନୀଳଗିରି,୧୩/୩(ଓଡ଼ିଶା ଆଦର୍ଶ):ନୀଳଗିରି ଅଞ୍ଚଳଟି ଖଣିଖାଦାନରେ ଭରପୂର। ପୂର୍ବରୁ ଆମ୍ବଝର, ଟିଆକଟା, ବାଘମରା, ମଲ୍ୟାଣି, ମହିଷାପଟା, ମିତ୍ରପୁର, ଡମ୍ବୁରୁଘାଟି ପ୍ରଭୃତି ଖାଦାନ ଗୁଡ଼ିକ ନିଲାମ କରାଯାଉଥିବା ବେଳେ ସରକାରଙ୍କ କଟକଣା ଯୋଗୁଁ ଉକ୍ତ ଖାଦାନ ଗୁଡ଼ିକ ବହୁବର୍ଷ ଧରି ବନ୍ଦ ହୋଇପଡ଼ିଛି। ମାତ୍ର କିଛି ପଥରମାଫିଆ ବେଧଡକ ଭାବେ ଗାଁ ଲୋକଙ୍କୁ ଧମକ ଚମକ ଦେଇ ରାତିଅଧିଆ ବ୍ଲାଷ୍ଟିଙ୍ଗ କରି ମାଲେମାଲ୍ ହେଉଥିବା ବେଳେ କିଛି ଅସାଧୁ ସରକାରୀ କର୍ମଚାରୀମାନେ ମାଫିଆଙ୍କ ସହ ସାମିଲହୋଇ ଚୋରାପଥର ଚାଲାଣ କରିଆସୁଥିଲେ । ସ୍ଥାନୀୟ ଲୋକଙ୍କ ଅଭିଯୋଗପରେ ବି ପ୍ରଶାସନ ନୀରବ ସାଜିଥିବା ବେଳେ ବାଧ୍ୟହୋଇ ଗାଁ ଲୋକ ମାନ୍ୟବର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀଙ୍କ ଠାରେ ଅଭିଯୋଗ କରିବାପରେ ଶ୍ରୀ ଷଡ଼ଙ୍ଗୀ କିଛିଦିନ ପୂର୍ବରୁ ଡମ୍ବୁରୁଘାଟିରେ ଚାଲିଥିବା ଚୋରାପଥର ଖାଦାନ ଉପରେ ଚଢ଼ାଉ କରିଥିଲେ। ବ୍ଲାଷ୍ଟିଂ ପାଇଁ ପଥରମାଫିଆ ମାନେ ସମସ୍ତ ପ୍ରସ୍ତୁତି କରିଥିବାବେଳେ ମାଇନିଙ୍ଗ ଅଧିକାରୀ, ବନବିଭାଗ ଓ ପୋଲିସ ବିଭାଗ ଙ୍କ ଉପସ୍ଥିତିରେ ଚଢ଼ାଉକରି ବିସ୍ଫୋରଣକୁ ଅଟକାଇଥିଲେ। ମାନ୍ୟବର ସାଂସଦ ଜନସାଧାରଣଙ୍କ ଦୃଢ଼ଦାବୀ, ପରିବେଶ ସନ୍ତୁଳନ ଏବଂ ଜନସାଧାରଣଙ୍କର ସୁରକ୍ଷାକୁ ଆଖିଆଗରେ ରଖି ପଥରମାଫିଆଙ୍କ ବିରୋଧରେ ଦୃଢ଼କାର୍ଯ୍ୟାନୁଷ୍ଠାନ ଦାବୀ କରିଥିଲେ। ସାଂସଦଙ୍କ କଡା ଆଭିମୁଖ୍ୟକୁ ସମ୍ମାନ ଜଣାଇ ପ୍ରଶାସନିକ ସ୍ତରରେ ତତ୍ପରତା ଦେଖାଦେଇଥିଲା। ଏନେଇ ଗତ ୧୨ତାରିଖ ନୀଳଗିରି ତହସିଲଦାର ଏବଂ ରେଞ୍ଜ ଅଧିକାରୀଙ୍କ ତଦନ୍ତ ରିପୋର୍ଟକୁ ଭିତ୍ତିକରି ନୀଳଗିରି ଉପଜିଲ୍ଲାପାଳ ଶ୍ରୀମତୀ ଶୁଭଶ୍ରୀ ରଥ ଜାମୁଡିହା ପଞ୍ଚାୟତର ବାଦାମବାଡ଼ି ଅନ୍ତର୍ଗତ ୮ଟି ପ୍ଲଟର ଜଙ୍ଗଲ, ଗୋଚର, ପତିତ କିସମ ଜମି ଏବଂ ଅଯୋଧ୍ୟା ଆର୍ ଆଇ ସର୍କଲ ଅନ୍ତର୍ଗତ ମହିଷାପଟା ପଞ୍ଚାୟତ ସଠିଲୋବଲବଲିଆ ମୌଜାର ଡମ୍ବୁରୁଘାଟି ବେଆଇନ ପଥରଖାଦାନରେ ଭାରତୀୟ ନାଗରିକ ସଂହିତା ୨୦୨୪ ଧରା ୧୬୩ଅନୁଯାଇ ନିଷେଧାଦେଶ ଜାରି କରିଛନ୍ତି। ଫଳରେ ଏସମସ୍ତ ନିଷିଦ୍ଧଞ୍ଚଳରେ ବ୍ଲାଷ୍ଟିଙ୍ଗ, ବିସ୍ଫୋରକ ବ୍ୟବହାର, ବେଆଇନ ଖଣି କାର୍ଯ୍ୟ, ଅନଧିକୃତ ଜମିଦଖଲ ନିଷେଧ କରାଯାଇଛି। ଏହାସହିତ ରାସ୍ତା କିମ୍ବା ରାସ୍ତାରେ ପ୍ରତିବନ୍ଧକ ସୃଷ୍ଠି ନକରିବା, ଗଛ ନଷ୍ଟ ନକରିବା, ଆଇନ ଶୃଙ୍ଖଳା ବଜାୟ ରଖିବାପାଇଁ ନିର୍ଦ୍ଧାରିତ ଅଞ୍ଚଳରେ ଯେ କୌଣସି ପ୍ରକାର ଆନ୍ଦୋଳନ, ଶୋଭାଯାତ୍ରା, ରାଲି କିମ୍ବା ଅନଧିକୃତ ସାଧାରଣ ସଭାକୁ ନିଷେଧ କରାଯାଇଛି। ଏଥିପାଇଁ ନୀଳଗିରି ଥାନା ଆଇଆଇସି ଙ୍କୁ ନିର୍ଦ୍ଦେଶ ଦିଆଯାଇଛି।



إرسال تعليق