ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ମାରିଦେବାକୁ ଉଦ୍ୟମ
ନୀଳଗିରି,୨୪/୨(ଓଡ଼ିଶା ଆଦର୍ଶ):ନୀଳଗିରି ଥାନା ଅଧୀନ ଅଯୋଦ୍ଧା ଗାଁର ଜଣେ ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଯୁବକଙ୍କୁ ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଅଯୋଧ୍ୟା କଲେଜ ଛକରେ ଗତ ରବିବାର ଅପରାହ୍ନ ୨ଟା ବେଳେ ଅଯୋଧ୍ୟା ଗାଁର ରବିଶଙ୍କର ମଲିକ ଛିଡ଼ା ହୋଇଥିବା ବେଳେ ଉକ୍ତ ଗାଁର ଚନ୍ଦ୍ରଭାନୁ ନାୟକ ତାଙ୍କୁ ଜାତିଆଣ ଉଠାଇ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ସେହିସମୟରେ ଯୁବକଙ୍କ ସମ୍ପର୍କୀୟ ଭାଇ ସେଠାରେ ପହଞ୍ଚି ତାଙ୍କୁ ଘରକୁ ନେଇଯାଇଥିଲେ। ପୁଣି ସେହି ସନ୍ଧ୍ୟାରେ ଚନ୍ଦ୍ରଭାନୁ ଓ ୩ ଜଣ ସହଯୋଗୀ ତାଙ୍କ ଘରେ ପହଞ୍ଚି ଜବରଦସ୍ତ ଉଠାଇ ଆଣି ନୀଳଗିରି ମିତ୍ରପୁର କଲେଜ ଆଡ଼କୁ ଏକ ନିଛାଟିଆ ସ୍ଥାନରେ ମରଣାନ୍ତକ ଆକ୍ରମଣ କରିବା ସହ ଧାରୁଆ ଅସ୍ତ୍ରରେ ଗୋଟିଏ ଜଙ୍ଘକୁ କାଟି ରକ୍ତାକ୍ତ କରିଦେଇଥିଲେ। ରବିଶଙ୍କର ରକ୍ତ ଜୁଡୁବୁଡୁ ଅବସ୍ଥାରେ ସେମାନଙ୍କଠାରୁ ବଞ୍ଚିବା ପାଇଁ ଧାଇଁ ପାଖ ଜଙ୍ଗଲରେ ପଶିଯାଇଥିଲେ। କିଛି ଘଣ୍ଟା ପରେ ରବିଶଙ୍କର ସମ୍ପର୍କୀୟଙ୍କୁ ଯୋଗାଯୋଗ କରିଥିଲେ। ତାଙ୍କୁ ପରିବାର ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ। ଏ ନେଇ ଆହତଙ୍କ ମା' ମମତା ମଲ୍ଲିକ ଗତ ସୋମବାର ନୀଳଗିରି ଥାନାରେ ଏତଲା ଦେବା ପରେ ପୋଲିସ ପକ୍ଷରୁ ଏକ ମାମଲା (ନଂ. ୯୭/୨୬) ରୁଜୁ ହୋଇଛି। ଏହି ଘଟଣାକୁ ପୋଲିସ ଗୁରୁତ୍ବର ସହ ନେଇ ମଙ୍ଗଳବାର ବାଲେଶ୍ବର ଡିଏସ୍ପି ନିବେଦିତା ସୋରେନ ଓ ସବ୍-ଇନ୍ସପେକ୍ଟର ନଳିନୀ ଜେନା ଘଟଣାସ୍ଥଳକୁ ଓ ମେଡିକାଲକୁ ଯାଇ ଘଟଣାର ତଦନ୍ତ କରୁଛନ୍ତି। ସେପଟେ ଗୁରୁତର ଯୁବକଙ୍କର ଏବେବି ନୀଳଗିରି ଡାକ୍ତରଖାନାରେ ଚିକିତ୍ସା ଚାଲିଛି।



Post a Comment