Header ADS

ସ୍ଵର୍ଣ୍ଣଚୂଡ ସାହିତ୍ୟ ପରିବାରର ସପ୍ତମବାର୍ଷିକ ଉତ୍ସବ ଅନୁଷ୍ଠିତ।

 ସ୍ଵର୍ଣ୍ଣଚୂଡ ସାହିତ୍ୟ ପରିବାରର ସପ୍ତମବାର୍ଷିକ ଉତ୍ସବ ଅନୁଷ୍ଠିତ।





ନୀଳଗିରି,୨୯/୧୨(ଓଡ଼ିଶା ଆଦର୍ଶ):ସ୍ୱର୍ଣ୍ଣଚୂଡ ସାହିତ୍ୟପରିବାରର ସପ୍ତମ ବାର୍ଷିକ ସମାରୋହ ସହ ରାଜ୍ୟସ୍ତରୀୟ ପାଠଚକ୍ର ଫକୀରମୋହନ ବିଶ୍ଵବିଦ୍ୟାଳୟର ସ୍ନାତକୋତ୍ତର ଅଧ୍ୟକ୍ଷଙ୍କ ସମ୍ମିଳନୀକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବର ଉଦଘାଟନୀ ପର୍ଯ୍ୟାୟରେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ସଭାପତିତ୍ଵରେ ମୁଖ୍ୟଅତିଥି ଭାବରେ ନୀଳଗିରିର ଲୋକପ୍ରିୟ ବିଧାୟକ ସନ୍ତୋଷ କୁମାର ଖଟୁଆ, ମୁଖ୍ୟବକ୍ତା ଭାବରେ ଓଡ଼ିଶାର ବିଶିଷ୍ଟ ସମାଲୋଚକ ପ୍ରଫେସର ବୈଷ୍ଣବଚରଣ ସାମଲ ଓ ପାଠଚକ୍ରର ଭିତ୍ତିପ୍ରବନ୍ଧ ଉପସ୍ଥାପକ ଭାବରେ ପ୍ରଫେସର ଦେବାଶିଷ ପାତ୍ର ଯୋଗଦେଇଥିଲେ । ଉକ୍ତ ଆସରରେ ପରିବାରର ସମ୍ପାଦକ ଡ. ପ୍ରଦୀପ୍ତ କୁମାର ମିଶ୍ର ଅତିଥିମାନଙ୍କୁ ମଞ୍ଚଆହ୍ବାନ ଓ ପରିଚୟ ପ୍ରଦାନସହ ସ୍ଵର୍ଣ୍ଣଚୂଡ ସାହିତ୍ୟ ପରିବାରରେ ବର୍ତ୍ତମାନ ପର୍ଯ୍ୟନ୍ତ ୧୬୫ ଟି ଆଭାସୀ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିବାବେଳେ ପରିବାରରେ ୮୬୫ ସକ୍ରିୟ ସଦସ୍ୟ ଥିବାକଥା ବିବରଣୀ ମାଧ୍ୟମରେ ପ୍ରକାଶ କରିଥିଲେ।ସେହିପରି ରେମୁଣା ଡ଼ିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଡ. ତ୍ରିଲୋଚନ ସାହୁ ସଭାପରିଚାଳନା ଓ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ଡ. ପ୍ରହଲ୍ଲାଦ ଖିଲ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।ଏହି ଅବସରରେ ଅତିଥିମାନଙ୍କ ଦ୍ଵାରା ସ୍ଵର୍ଣ୍ଣଚୂଡ -୨୦୨୫ ପୁସ୍ତକ ଉନ୍ମୋଚନ ହୋଇଥିଲା । ଅନୁରୂପ ଭାବରେ ଦ୍ୱିତୀୟ ପର୍ଯ୍ୟାୟରେ ଅର୍ଥାତ୍ ବୈଷୟିକ ଅଧିବେଶନରେ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ନଟବର ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଆସରରେ ଆଲୋଚକଭାବରେ ଓଡ଼ିଆ ସାରସ୍ୱତ ଜଗତର ବିଶିଷ୍ଟ ସମାଲୋଚକ ପ୍ରଫେସର ବାବାଜୀଚରଣ ପଟ୍ଟନାୟକ, ପ୍ରଫେସର କୃଷ୍ଣଚନ୍ଦ୍ର ପ୍ରଧାନ, ପ୍ରଫେସର ବିଜୟଲକ୍ଷ୍ମୀ ଦାଶ ଯୋଗଦାନକରି ଆଲୋଚନା ରଖିଥିବାବେଳେ ବାବା ପଞ୍ଚଲିଙ୍ଗେଶ୍ଵର ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟାପକ ଡ.ଅକ୍ଷୟ କୁମାର ପାଣିଗ୍ରାହୀ, ଜଗନ୍ନାଥ ଡ଼ିଗ୍ରୀମହାବିଦ୍ୟାଳୟର ଅଧ୍ୟାପିକା ଡ. ମୋନାଲିସା ଚାନ୍ଦ ଓ ଗବେଷିକା ଅଲିଭା ଘୋଷ ପ୍ରବନ୍ଧପାଠ କରିଥିଲେ । ଅନ୍ତିମ ପର୍ଯ୍ୟାୟରେ ସ୍ଵର୍ଣ୍ଣଚୂଡ ପରିବାର ତରଫରୁ ନୀଳଗିରିର ସ୍ବର୍ଗତ କବି ସତ୍ୟନାରାୟଣ ନନ୍ଦ ପ୍ରହରାଜଙ୍କୁ ମରଣତ୍ତୋର ନୀଳଗିରି ରତ୍ନ ସମ୍ମାନର,ବାଲେଶ୍ଵରର ବର୍ଷୀୟାନ ସାହିତ୍ୟିକ ପ୍ରଫେସର ରମାକାନ୍ତ ବେହେରାଙ୍କୁ ବାଲେଶ୍ଵର ରତ୍ନ ସମ୍ମାନ, ପ୍ରଫେସର ନଟବର ଶତପଥୀଙ୍କୁ ସ୍ଵର୍ଣ୍ଣଚୂଡ ସାହିତ୍ୟ ସମ୍ମାନ, ଶିକ୍ଷାବିତ୍ ବିନୋଦ ବିହାରୀ ପଣ୍ଡାଙ୍କୁ ନୀଳଗିରିଗୌରବ ସମ୍ମାନ, ଡ. କୁମାର ଚନ୍ଦ୍ର ମିଶ୍ରଙ୍କୁ ସଂସ୍କୃତିସାରଥୀ ସମ୍ମାନ, ମୟୂରଭଞ୍ଜର ଆଦର୍ଶ ଶିକ୍ଷାବିତ୍ ଶ୍ରୀଯୁକ୍ତ ଦେବେନ୍ଦ୍ର ପଣ୍ଡାଙ୍କୁ ଶିକ୍ଷକ ଗୌରବ ସମ୍ମାନ, ଶ୍ରୀଯୁକ୍ତ ଦେବେନ୍ଦ୍ର ବାରିକଙ୍କୁ "ବାଣୀଭଣ୍ଡାର ସୁରକ୍ଷା ସମ୍ମାନ " , ଶ୍ରୀଯୁକ୍ତ ପୂର୍ଣ୍ଣଚନ୍ଦ୍ର ବେହେରାଙ୍କୁ ସ୍ଵର୍ଣ୍ଣଚୂଡ ସେବା ସମ୍ମାନରେ ଅତିଥିଗଣ ସମ୍ମାନିତ କରିଥିଲେ । ଉକ୍ତ ଉତ୍ସବରେ ସମଗ୍ର ଓଡିଶାରୁ ବହୁ ଗବେଷକ ଓ ଛାତ୍ରଛାତ୍ରୀ ଯୋଗଦାନ କରିଥିବାବେଳେ ସାହିତ୍ୟ ଅନୁରାଗୀ ମଧ୍ୟ ଯୋଗଦାନ କରିଥିଲେ । ଶେଷରେ ପରିବାରର ସମ୍ପାଦକ ଡ. ମିଶ୍ର ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ୍ ଜ୍ଞାପନ କରିଥିଲେ । ଏପରି କାର୍ଯ୍ୟକ୍ରମକୁ କୁଳପତିଙ୍କ ସହ ବିଧାୟକ ଓ ଅନ୍ୟ ବରେଣ୍ୟ ପ୍ରଫେସରଗଣ ଭୂୟସୀ ପ୍ରଶଂସା କରିଥିଲେ ।

Post a Comment

Previous Post Next Post
Header ADS