ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ କୁଲଡିହା ରେଞ୍ଜ ଅଫିସ ଆଗରେ ଗଣଧାରଣା।
ନୀଳଗିରି,୨୬/୧୨(ଓଡ଼ିଶା ଆଦର୍ଶ):ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଆଜି ପୂର୍ବାହ୍ନ ରେ ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ର ଆବାହକ ବିଜୟ କୁମାର ପାତ୍ର ଙ୍କ ନେତୃତ୍ଵରେ କୁଲଡିହା ରେଞ୍ଜର ଙ୍କ ଅଫିସ ଆଗରେ ଦୁଇ ଦଫା ଦାବୀ ରେ ଗଣଧାରଣା ଅନୁଷ୍ଠିତ ହୋଇ ଯାଇଛି। ଗତ ତେର ତାରିଖରେ କିଶୋରଚନ୍ଦ୍ରପୁର ପଞ୍ଚାୟତ ର କଇମହୁଡ଼ି ଗ୍ରାମ ର ମକରା ସୋରେନ କୁ ଜଙ୍ଗଲ ରେ ଗୟଳ ମାରିଦେଇ ଥିଲା ।ଉକ୍ତ ଘଟଣା କୁ ଗ୍ରାମବାସୀ ମାନେ ବନ ବିଭାଗୀୟ ଅଧିକାରୀ ମାନଙ୍କୁ ଜଣାଇ ଥିଲେ ସୁଦ୍ଧା ବିଭାଗୀୟ ଅଧିକାରୀମାନେ କ୍ଷତି ପୂରଣ ଦେବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରି ନ ଥିଲେ। ତତ୍ ସହିତ ବିଭାଗୀୟ ଅଧିକାରୀ ମାନେ କୌଣସି କାରଣ ନ ଥାଇ ନିରୀହ ଶାନ୍ତିକାମୀ ଆଦିବାସୀ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଛନ୍ତି। ଯାହାକି ଆଦିବାସୀ ମାନଙ୍କ ମଧ୍ୟରେ କୋକୁଆ ଭୟ ସୃଷ୍ଟି କରିଛି। ଏହାକୁ ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି। ମକରା ସୋରେନ ପରିବାର କୁ କ୍ଷତି ପୂରଣ ଦେବା ସହିତ ଆଦିବାସୀ ମାନଙ୍କ ଉପରେ ରେଞ୍ଜର ଙ୍କ ଅତ୍ୟାଚାର ବନ୍ଦ କରିବା ପାଇଁ ଆଜି ଗଣଧାରଣା ର ମୁଖ୍ୟ ପ୍ରସଙ୍ଗ ଥିଲା। ଉକ୍ତ ଧାରଣା କାର୍ଯ୍ଯକ୍ରମ ରେ ସତ୍ୟଜିତ ଦାସ ସଭାପତିତ୍ବ କରିଥିଲେ। ପ୍ରଥମେ ଭିଟାମାଟି ଓ ଜୀବନ ଜୀବିକା ସୁରକ୍ଷା ମଞ୍ଚ ର ଆବାହକ ଶ୍ରୀ ପାତ୍ର ଡବଲ ଇଞ୍ଜିନ ସରକାର ର ଜନ ବିରୋଧି ନୀତି ବିରୁଦ୍ଧରେ ଆଲୋଚନା କରିଥିଲେ, ତତ୍ ସହିତ ରେଞ୍ଜର ଙ୍କ ମନମାନି କାର୍ଯ୍ଯକୁ ସମାଲୋଚନା କରିବା ସହିତ ମୃତ ମକରା ସୋରେନ ପରିବାର କୁ କ୍ଷତି ପୂରଣ ପୂରଣ ଦେବା ପାଇଁ ପ୍ରଶାସନ ଠାରେ ଦାବି କରିଥିଲେ। ନୀଳଗିରି ଥାନା ଅଧିକାରୀ ଗୋବର୍ଦ୍ଧନ ନାୟକ ଙ୍କ ସହିତ ରେଞ୍ଜର ସୁବ୍ରତ ବେହେରା ଓ ତାଙ୍କର ସମସ୍ତ କର୍ମଚାରୀ ଧାରଣା ସ୍ଥଳ କୁ ଆସି ଧାରଣା ରେ ଉପସ୍ଥିତ ଥିବା ସମସ୍ତ ନେତୃତ୍ଵ ଙ୍କ ସହ ଆଲୋଚନା କରିଥିଲେ। ମୃତ ମକରା ସୋରେନ ଙ୍କ ପରିବାର କୁ ପନ୍ଦର ଦିନ ଭିତରେ କ୍ଷତି ପୂରଣ ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ତତ୍ ସହିତ ଜଙ୍ଗଲ ଆଇନ୍ ଉପରେ ଅଭାୟରଣ୍ୟ ରେ ସମସ୍ତ ଗ୍ରାମ ରେ ସଚେତନତା କାର୍ଯ୍ୟକ୍ରମ କରି ଜନଗଣ ଓ ବନ ବିଭାଗ ଭିତରେ ଭାଇଚାରା ସ୍ରୁଷ୍ଟି ପାଇଁ ପଦକ୍ଷେପ ଗ୍ରହଣ କରିବେ ବୋଲି ପ୍ରତିଶ୍ରୁତି ଦେଲା ପରେ, ଧାରଣା କାର୍ଯ୍ୟକ୍ରମ ପ୍ରତ୍ୟାହୃତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମ ରେ ସୁନାରାମ ସିଂ, ଷ୍ଟାଲିନ ମିଶ୍ର, ଯାମିନୀ ହାଁସଦା, ଗଜେନ୍ଦ୍ର ସିଂ, ପୁରୁଷୋତ୍ତମ ଖଣ୍ଡିଏ, ସିତାଂଶୁ ସେନାପତି, ଉମାକାନ୍ତ ଷଡଙ୍ଗୀ, ଯୋଗାନନ୍ଦ ଦାଶ, ଶ୍ୟାମ ସିଂ, ରାମଚନ୍ଦ୍ର ସିଂ, ଲକ୍ଷ୍ମୀଧର ସାହୁ ଙ୍କ ସମେତ ବହୁ ନେତୃତ୍ବ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାରେ ସହଯୋଗ କରିଥିବା ଦେଖା ଯାଇଛି।



Post a Comment