ଅଗ୍ନି-୫'ର ସଫଳ ପରୀକ୍ଷଣ, ଘଣ୍ଟା ପ୍ରତି ୩୦ ହଜାର କିଲୋମିଟର ବେଗରେ କରିପାରିବ ଲକ୍ଷ୍ୟଭେଦ
ବିଶେଷ କରି ପଡ଼ୋଶୀ ରାଷ୍ଟ୍ର ପାକିସ୍ତାନ, ଚାଇନାକୁ ନିଜର ଶକ୍ତି ଦେଖାଇବାରେ ଭାରତ ସଫଳ ହୋଇଛି ।
ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ(ଡିଆର୍ଡିଓ) ପକ୍ଷରୁ ସନ୍ଧ୍ୟା ୬ଟା ୩୦ରେ ଏହି ପରୀକ୍ଷଣ କରାଯାଇଥିଲା । ପରୀକ୍ଷଣ ସମୟରେ କ୍ଷେପଣାସ୍ତ୍ରଟି ସମସ୍ତ କାର୍ଯ୍ୟକ୍ଷମ ଓ ବୈଷୟିକ ପାରାମିଟରକୁ ବୈଧ କରିଥିଲା । ଏହି କ୍ଷେପଣାସ୍ତ୍ରଟି ଡିଆର୍ଡିଓ ଦ୍ୱାରା ବିକଶିତ ହୋଇଛି । ଏହା ଅଗ୍ନି ସିରିଜ୍ର ସବୁଠାରୁ ଉନ୍ନତ ସଂସ୍କରଣ । ଆକ୍ରମଣ କ୍ଷମତା ଓ ସଠିକତାକୁ ବୃଦ୍ଧି କରିବା ପାଇଁ ଏହାକୁ ଆଧୁନିକ ନାଭିଗେସନ୍, ମାର୍ଗଦର୍ଶନ, ଯୁଦ୍ଧାସ୍ତ୍ର, ଇଞ୍ଜିନ୍ ପ୍ରଯୁକ୍ତିବିଦ୍ୟା ସହିତ ଡିଜାଇନ୍ କରାଯାଇଛି । ‘ଅଗ୍ନି-୫’ କ୍ଷେପଣାସ୍ତ୍ରକୁ ପରମାଣୁ ବ୍ୟବହାର ପାଇଁ ଡିଜାଇନ୍ କରାଯାଇଛି । ଏହି ଉନ୍ନତ ସଂସ୍କରଣ କ୍ଷେପଣାସ୍ତ୍ର ଏକକାଳୀନ ତିନୋଟି ଯୁଦ୍ଧାସ୍ତ୍ର ନିକ୍ଷେପ କରିପାରିବ । ଏହି କ୍ଷେପଣାସ୍ତ୍ରକୁ ମଧ୍ୟ ଇଣ୍ଟର କଣ୍ଟିନେଣ୍ଟାଲ ବାଲାଷ୍ଟିକ ମିସାଇଲ ଭାବେ ବିବେଚନା କରାଯାଉଛି ।
ମଲ୍ଟିପଲ୍ ଇଣ୍ଡିପେଣ୍ଡାଣ୍ଟଲି ଟାର୍ଗେଟ୍ବୁଲ୍ ରିଏଣ୍ଟ୍ରି ଭେଇକିଲ(ଏମଆଇଆରଭି) ଜ୍ଞାନ କୌଶଳରେ ଏହା ନିର୍ମିତ ହୋଇଛି ।ଏହି ମିସାଇଲ ଉତ୍କ୍ଷେପଣ ପରେ ବାୟୁ ମଣ୍ଡଳର ଉପରକୁ ଯାଇ ପୁଣି ବାୟୁମଣ୍ଡଳକୁ ପ୍ରବେଶ କରିଥାଏ । ସେହିଠାରୁ ଏହି କ୍ଷେପଣାସ୍ତ୍ର ଏକାଧିକ ଟାର୍ଗେଟ୍ ଧ୍ୱଂସ କରିପାରିବାର କ୍ଷମତା ରଖିଛି । ଏହାର ସ୍ୱତନ୍ତ୍ରତା ହେଉଛି ଏହା ଶତ୍ରୁପକ୍ଷର ସାଟେଲାଇଟ୍ ଟ୍ରାକ୍ କରିପାରିବନି ।
ଏହାର ଓଜନ ୫ ହଜାର ୬୦୦ କି.ଗ୍ରା ଥିବାବେଳେ ଲମ୍ବ ୧୭.୫ ମିଟର, ମୋଟେଇ ୨ ମିଟର ରହିଛି । ଏହା ୧୫୦୦ କି.ଗ୍ରା ପର୍ଯ୍ୟନ୍ତ ଉଭୟ ପାରମ୍ପରିକ, ଆଣବିକ ଯୁଦ୍ଧାସ୍ତ୍ର ବହନ କରିପାରିବ । ଉତ୍କ୍ଷେପଣ ସ୍ଥାନରୁ ନିଜ ଲକ୍ଷ୍ୟଭେଦ ସୀମା ଭିତରେ ଥିବା ସ୍ଥାନକୁ ଘଣ୍ଟା ପ୍ରତି ୨୯ ହଜାର ୪୦୦ କି.ମି ବେଗରେ ଲକ୍ଷ୍ୟଭେଦ କରିପାରିବ।
Post a Comment