Header ADS

ବିଦ୍ୟାଳୟ କର୍ମଚାରୀଙ୍କ ଅବହେଳା, ରାତିସାରା ସ୍କୁଲ ଝରକା ରେଲିଂରେ କୁନିଝିଅ।

 ବିଦ୍ୟାଳୟ କର୍ମଚାରୀଙ୍କ ଅବହେଳା,

ରାତିସାରା ସ୍କୁଲ ଝରକା ରେଲିଂରେ କୁନିଝିଅ।



କେନ୍ଦୁଝର,(ଓଡ଼ିଶା ଆଦର୍ଶ ବ୍ୟୁରୋ): ଗତକାଲି ସ୍କୁଲ ଛୁଟି ପରେ ବିଦ୍ୟାଳୟର ଶ୍ରେଣୀ ଗୃହରେ ତାଲା ପକାଇ ପଳାଇଥିଲେ କର୍ମଚାରୀ । ଆଉ ଶ୍ରେଣୀ ଗୃହ ଭିତରେ ରହିଯାଇଥିଲେ ଜଣେ ଦ୍ବିତୀୟ ଶ୍ରେଣୀର କୁନି ଛାତ୍ରୀ । ସାରା ରାତି ବିଦ୍ୟାଳୟ ଶ୍ରେଣୀଗୃହର ଝରକା ଲୁହା ବାଡ଼ରେ ଲାଖି ରହିଥିଲେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ । 



ବିଦ୍ୟାଳୟର ବନ୍ଦ ଶ୍ରେଣୀଗୃହରୁ ବାହାରିବାକୁ ଦ୍ବିତୀୟ ଶ୍ରେଣୀ ଛାତ୍ରୀକୁ କରିବାକୁ ପଡ଼ିଛି ଆପ୍ରାଣ ସଂଘର୍ଷ । ନିଜର ସମସ୍ତ ବଳ ଲଗାଇ ଲୁହା ଝରକାର ରେଲିଂକୁ ସାମାନ୍ୟ ବଙ୍କା କରିବା ପରେ ଶରୀର ବାହାରକୁ ବାହାର କରିବାରେ ସକ୍ଷମ ହୋଇଥିଲେ ସୁଦ୍ଧା ଅଟକି ଯାଇଥିଲା ମୁଣ୍ଡ । ଆଉ ସାରା ରାତି ଏମିତି ବିଦ୍ୟାଳୟ ଶ୍ରେଣୀଗୃହର ଝରକା ଲୁହା ବାଡ଼ରେ ଲାଖି ରହିଥିଲେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ । କେନ୍ଦୁଝର ଅଞ୍ଜର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ଏ ଘଟଣା ଯେତିକି ହୃଦୟ ବିଦାରକ, ସେତିକି ଚିନ୍ତାଜନକ ମଧ୍ୟ । ଗତକାଲି ସ୍କୁଲ ଛୁଟି ପରେ ଶ୍ରେଣୀ ଗୃହରେ ତାଲା ପକାଇ ପଳାଇଥିଲେ ବିଦ୍ୟାଳୟ କର୍ମଚାରୀ । ଆଉ ଶ୍ରେଣୀ ଗୃହ ଭିତରେ ରହିଯାଇଥିଲେ ଜଣେ ଦ୍ବିତୀୟ ଶ୍ରେଣୀର ଛାତ୍ରୀ । ପରିବାର ଲୋକେ ବହୁ ଖୋଜାଖୋଜି ପରେ ବି ତାଙ୍କୁ ପାଇନଥିଲେ । ଆଉ ଆଜି ସକାଳୁ ସ୍କୁଲ୍ ଗେଟ୍ ଖୋଲିବା ପରେ ଛାତ୍ରୀ ଜଣଙ୍କୁ ଏଭଳି ଅବସ୍ଥାରେ ଥିବା ଦେଖିବାକୁ ମିଳିଥିଲା । ଝିଅଟି ବାହାରିବାକୁ ଚେଷ୍ଟା କରି ନିଜର ସମଗ୍ର ବଳ ଖଟାଇ ଲୁହା ରେଲିଂକୁ ବଙ୍କା କରିଥିଲେ ବି ମୁଣ୍ଡଟି ରେଲିଂ ଭିତରୁ ଆଉ ବାହାରି ପାରିନଥିଲା । ଫଳରେ ଛାତ୍ରୀ ଜଣକ ଏମିତି ଅବସ୍ଥାରେ ହିଁ ସାରା ରାତି ଝରକାରେ ଝୁଲି ରହିଥିଲେ ।ଆଜି ସକାଳେ ହିଁ ସ୍କୁଲ୍ ଖୋଲିବା ପରେ ପରିବାର ଲୋକେ ଏବଂ ଗ୍ରାମବାସୀ ମିଶି ଛାତ୍ରୀ ଜଣଙ୍କୁ ଉଦ୍ଧାର କରିଥିଲେ । ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ । ପ୍ରାଥମିକ ଚିକିତ୍ସା ପରେ ଛାତ୍ରୀ ଜଣକ ଘରକୁ ଫେରିଛନ୍ତି । ସେ ଏବେ ସୁସ୍ଥ ଥିବା ଜଣାପଡିଛି । ତେବେ ଉକ୍ତ ବିଦ୍ୟାଳୟର କର୍ମଚାରୀଙ୍କ ଅବହେଳା ପାଇଁ ଏଭୋଳି ଘଟଣା ଘଟିଥିବା ବେଳେ ଗଣଶିକ୍ଷା ବିଭାଗ ଦୃଷ୍ଟି ଦେବାକୁ ଦାବି ହେଉଥିବା ଜଣାପଡିଛି।

Post a Comment

Previous Post Next Post
Header ADS