ଅନ୍ତର୍ମୁଖୀ ଚେତନାର କବି ସତ୍ୟନାରାୟଣ ନନ୍ଦ ପ୍ରହରାଜ
ନୀଳଗିରି,୯/୩(ଓଡ଼ିଶା ଆଦର୍ଶ): କବି ସତ୍ୟନାରାୟଣ ନନ୍ଦ ପ୍ରହରାଜଙ୍କ କାବ୍ୟ କବିତା ଅଚିନ୍ତନୀୟ ଓ ଅନିର୍ବଚନୀୟ । ନନ୍ଦଙ୍କ କବିତା ବେଦନାକ୍ତ ପୃଥିବୀ ମଧ୍ୟରେ ଦୁଃଖୀ ମଣିଷର ସନ୍ଧାନ ଦିଏ । ପ୍ରହରାଜଙ୍କ କବିତା ନୈର୍ବକ୍ତିକତାର ସ୍ତରକୁ ସ୍ପର୍ଶକରି ବହିର୍ବିଶ୍ଵ ଓ ଅନ୍ତର୍ବିଶ୍ଵ ମଧ୍ୟରେ ସଂଯୋଗର ସେତୁ ନିର୍ମାଣ କରେ । କବିଙ୍କ ନୀଳହଂସର ଜ୍ଵାଳା ବେଦନାକ୍ତ ପୃଥିବୀ ମଧ୍ୟରେ ଦୁଃଖୀ ମଣିଷର ସନ୍ଧାନ ଦିଏ । ହାତରେ ମଶାଲ ଧରି ପାହାଡ ଚଢ଼ୁଥିବା କବିତାରେ ଚେତନା ପ୍ରବହାର ଧାରା, ନିବିଷ୍ଟତାର ଗାମ୍ଭୀର୍ଯ୍ୟ, ପ୍ରକାଶ୍ୟରେ ନୈପୁଣ୍ୟ, ଦୃଷ୍ଟିରେ ଦୀପ୍ତି ବିଦ୍ୟମାନ । ହିରଣ୍ମୟେନ ପାତ୍ରେଣ କବିତା କବିଙ୍କ ସମ୍ପ୍ରେଷିତ ଭାବାନୁଭୂତିର ମୂର୍ତ୍ତରୂପ । ହିରଣ୍ମୟେଣ ସବିତା ରଥେନ କବିତା ବିଶ୍ୱଜୀବନର ଚେତନସତ୍ତା । ସତ୍ୟନାରାୟଣଙ୍କ ପ୍ରେମ କବିତାରେ ଭାବାବେଗର ଗାଢ଼ତା ଅପେକ୍ଷା କଳାକୌଶଳର ପରାକାଷ୍ଠା ବେଶ୍ ଚମତ୍କାର ଭାବ ସୃଷ୍ଟିକରେ । କବିଙ୍କ ଭାଷାରେ କବିତା ଏକ ଶଦ୍ଦକଳା, ଏହା ସୃଷ୍ଟିକ୍ଷମ, ଏହା ଜ୍ଞାନ ଓ ମନର ନୁହେଁ, ହୃଦୟର ଓ ଆବେଗର । କବି କହନ୍ତି କବିତାରେ ଭାଷା ହେଉଛି ଭାବସଂଚାରୀ । କବିଙ୍କ ସନେଟ ସା ରେ ସାମାଜିକ ସ୍ତରରୁ କିପରି ଅଲୌକିକ ସ୍ତରକୁ ଗତି କରିବାକୁ ପଡେ ତାହାର ବାସ୍ତବଚିତ୍ର ପ୍ରତିଫଳିତ ହୋଇଛିବୋଲି କବି ସତ୍ୟନାରାୟଣ ନନ୍ଦ ପ୍ରହରାଜଙ୍କ ଏକାଦଶାହରେ ଅତିଥିଗଣ ପ୍ରକାଶ କରିଥିଲେ । ପ୍ରାରମ୍ଭରେ ନୀଳଗିରି ମହିଳା ଡିଗ୍ରୀ ମହାବିଦ୍ୟାଳୟର ଓଡିଆ ଅଧ୍ୟାପକ ତଥା ସ୍ତମ୍ଭକାର ଓ ସ୍ଵର୍ଣ୍ଣଚୂଡ଼ ସାହିତ୍ୟ ପରିବାରର ସମ୍ପାଦକ ଡ. ପ୍ରଦୀପ୍ତ କୁମାର ମିଶ୍ରଙ୍କ ମଞ୍ଚ ଆହ୍ଵାନରେ ଶିକ୍ଷାବିତ୍ କବି ଶରତ ଚନ୍ଦ୍ର ମହାପାତ୍ର ପୌରୋହିତ୍ୟ କରିଥିବାବେଳେ ଅତିଥି ଭାବରେ ଗବେଷକ ପ୍ରଫେସର ଶରତ ଚନ୍ଦ୍ର ମହାନ୍ତି , କବି କାଳୀପଦ ପଣ୍ଡା, କଵୀ ସୁଭାଷିନୀ ଜୀ, ପ୍ରଫେସର ବସନ୍ତ କୁମାର ଦାସ, ପ୍ରହରାଜଙ୍କ ଉପରେ ଗବେଷଣା କରିଥିବା ଗବେଷକ ଅଧ୍ୟାପକ ଡ. ଅମରେନ୍ଦ୍ର ମହାପାତ୍ର, ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଗବେଷିକା ଅର୍ଚ୍ଚନା ଶତପଥୀ, କବି ଶିବପ୍ରସାଦ ଦାସ, କବିଙ୍କ ଭଉଣୀ ସରୋଜିନୀ ଓ ପଙ୍କଜିନି, ଝିଆରୀ ସ୍ମୃତିଲଗ୍ନା ଓ ପ୍ରୀତିଲଗ୍ନା, ଭାଇ ଜୟନାରାୟଣ ନନ୍ଦ ପ୍ରହରାଜ, ହରନାରାୟଣ ନନ୍ଦ ପ୍ରହରାଜ, ପୁତୁରା କୁନୁ, ବୋହୂ ଲିଜାଙ୍କ ସହ ଅନ୍ୟ ଆତ୍ମୀୟବର୍ଗଙ୍କ ସହ ବହୁ ନୀଳଗିରି ଓ ବାଲେଶ୍ଵର ସାହିତ୍ୟର ସାରସ୍ବତ ସାଧକଗଣ ଉପସ୍ଥିତ ଥିଲେ ।
إرسال تعليق