ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର, ଆଜିଠାରୁ ଖୋଲିଲା କୁଳଡିହା ଅଭୟାରଣ୍ୟ।
ବାଲେଶ୍ୱର ସହରରୁ ପ୍ରାୟ ୫୨ କିଲୋମିଟର ଦୂରରେ ଥିବା ନୀଳଗିରି ଉପଖଣ୍ଡର ଏହି ବଣ ପାହାଡ଼ଘେରା କୁଲଡିହା ଅଭୟାରଣ୍ୟ ନଭେମ୍ବର ୧ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲା ଯିବ।
ଚଳିତବର୍ଷ ବନ ବିଭାଗ ପକ୍ଷରୁ ଓଡ଼ିଶା ଏବଂ ଓଡିଶା ବାହାରୁ ଆସିବାକୁ ଥିବା ପର୍ଯ୍ୟଟକଙ୍କୁ କିପରି ଅଧିକ ଆକୃଷ୍ଟ କରାଯିବ ସେନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏପରିକି ପର୍ଯ୍ୟଟକଙ୍କ ରାତ୍ରିଯାପନ କରିବା ପରେ ରୋମାଞ୍ଚକର ଅନୁଭୂତି ନେଇ ଫେରିବା ଉଦ୍ଦେଶ୍ୟରେ ବାଲେଶ୍ବର ଡିଏଫଓଙ୍କ ତତ୍ତ୍ବାବଧାନରେ କୁଲଡିହା ରେଞ୍ଜର ବ୍ୟାପକ ପ୍ରସ୍ତୁତି ହୋଇଛି। ବଣ ପାହାଡ଼ ଘେରା ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ କୁଲଡିହା ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଇ, ବଳିଆ କୁକୁର, ବଜ୍ରକାପ୍ତା, ମୟୂର ଇତ୍ୟାଦି ବନ୍ୟପ୍ରାଣୀ ଦେଖାଯାଆନ୍ତି।
କୁଲଡିହାକୁ ଲାଗି ରହିଥିବା ଡ୍ୟାମ ସାତଘାଟି, ରିସିଆ, ପୁରୁଣାପାଣି, ଜୋଡ଼ାଚୁଆ, ମୁଖଚତୁରି, କଇମଚତୁରୀ ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀର ପକ୍ଷୀ ଦେଖିବାକୁ ମିଳେ। ଏଠାରେ ସୁରକ୍ଷିତ ପର୍ଯ୍ୟଟନ ଓ ପର୍ଯ୍ୟଟନର ବିକାଶ ଲାଗି ଗୋହିରାଭୋଳଠାରେ 'ରିସିଆ ପ୍ରକୃତି ନିବାସ' ଖୋଲାଯାଇଛି। ରାତ୍ର ରହଣି ନିମନ୍ତେ ୯ଟି ତମ୍ବୁଘର ହୋଇଛି। ଏହା ସହ ନେଚର୍ସ କ୍ୟାମ୍ପ କରାଯାଇ ଖାଦ୍ୟ, ପିଇବା ପାଣି ଏବଂ ଶୌଚାଳୟର ବ୍ୟବସ୍ଥା କରାଯାଇଛି। ଅନ୍ୟପକ୍ଷେ ମାଦକଦ୍ରବ୍ୟ ଉପରେ କଟକଣା ରହିଛି।
ବନ୍ୟପ୍ରାଣୀ ପଶି ନ ଆସିବା ପାଇଁ ଚାରିପାଖରେ ଟ୍ରେଞ୍ଚ ଖୋଳାଯାଇଛି। ଏହି ନେଚର୍ସ କ୍ୟାମ୍ପରେ ରହି ରାତ୍ରିଯାପନ କରି ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ, ୫ଟି ୱାଚ ଟାୱାରରୁ କୁଲଡିହା ଅଭୟାରଣ୍ୟ ପଶୁପକ୍ଷୀଙ୍କୁ ଦେଖିବା ସହ ପ୍ରକୃତିର ମଜା ନେଇପାରିବେ।
ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ଅନ୍ ଲାଇନରେ ବୁକିଂର ବ୍ୟବସ୍ଥା ରହିଛି। ଏପରିକି ଏହି ବିଷୟରେ ଅଧିକ ଜାଣିବା ପାଇଁ ୱେବ ସାଇଟ ecotourodisha.com ରହିଛି। ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟାରେ ପ୍ରବେଶ ସହ ୫ଟା ପର୍ଯ୍ୟନ୍ତ ପରିଭ୍ରମଣର ସୁବିଧା ରଖାଯାଇଛି। ଏଠାରେ ଜଣେ ବ୍ୟକ୍ତି ପାଇଁ ୪୦ଟଙ୍କା, କ୍ୟାମେରା ପାଇଁ ୫୦ଟଙ୍କା, ଚାରିଚକିଆ ଯାନ ପାଇଁ ୧୦୦ ଟଙ୍କା ଓ ନେଚର୍ସ କ୍ୟାମ୍ପରେ ରାତ୍ରିଯାପନ ପାଇଁ ୩ ହଜାର ୮୫୪ ଟଙ୍କା ଧାର୍ଯ୍ୟ କରାଯାଇଛି।
Post a Comment