Header ADS

ସାରସ୍ବତ ସାଧନା ସମନ୍ଵୟ ସମିତି ଓ ଗୀତା, ବେଦ, ଯୋଗ ଭାରତୀୟ ସଂସ୍କୃତି ପ୍ରଶିକ୍ଷଣ ପାଠଶାଳା ଆନୁକୁଲ୍ୟରେ ବାର୍ଷିକ ଉତ୍ସବ।

 


ନୀଳଗିରି,୨୫/୮(ଓଡ଼ିଶା ଆଦର୍ଶ): ସାରସ୍ବତ ସାଧନା ସମନ୍ଵୟ ସମିତିର ଅଷ୍ଟମ ବାର୍ଷିକ ଓ ଗୀତା, ବେଦ, ଯୋଗ ଭାରତୀୟ ସଂସ୍କୃତି ପ୍ରଶିକ୍ଷଣ ପାଠଶାଳାର ପ୍ରଥମ ବାର୍ଷିକ ସମାରୋହ ନୀଳଗିରିର ସରକାରୀ ଶିକ୍ଷାନୁଷ୍ଠାନ ବାଲିଗୋହିରୀ ରତ୍ନାକର ଟାଉନ ହାଇସ୍କୁଲ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ପୂର୍ବାହ୍ନ ୯ଘଟିକାରେ ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ବହୁ ସାରସ୍ବତ ସାଧକ ଓ ସଂଗଠକ ଯୋଗ ଦେଇଥିଲେ।ଏହି ଉତ୍ସବରେ ଡିଭାଇନ ଚ୍ୟାରିଟେବୁଲ ଟ୍ରଷ୍ଟର ଛାତ୍ର ଛାତ୍ରୀ ଏବଂ ରତ୍ନାକର ଟାଉନ ହାଇସ୍କୁଲର ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିବା ଅତିଥି ମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ କରିବା ସହିତ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ଉକ୍ତ କାର୍ଯ୍ୟକ୍ରମରେ କେନ୍ଦ୍ରୀୟ ବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବସନ୍ତ କୁମାର ଦାସ ସଭାପତିତ୍ବ କରିଥିବା ବେଳେ ଅବସରପ୍ରାପ୍ତ ରାଜ୍ୟ ସାହିତ୍ୟ ଏକାଡେମୀ ସଦସ୍ୟ ଭାଗବତ ବେହେରା ଯୋଗଦେଇ ଭାରତୀୟ ସଂସ୍କୃତିରେ ଗୀତା ମହାତ୍ମ୍ୟ, ବେଦପାଠ ସହିତ ଏବଂ ପ୍ରାଚୀନ ଯୋଗ ପରମ୍ପରାର ଅମୂଲ୍ୟ ଜୀବନଚର୍ଯ୍ୟା ଉପରେ ବିସ୍ତୃତ ଆଲୋଚନା କରିଥିଲେ। ମୁଖ୍ୟବକ୍ତା ଭାବେ ସତ୍ୟସାଇ ସଂଗଠନର ରାଜ୍ୟ ବେଦ ସଂଯୋଜକ ଡକ୍ଟର ବିଭୁଦତ୍ତ ପାତ୍ର ଉପସ୍ଥିତ ଛାତ୍ରଛାତ୍ରୀ, ଅଭିଭାବକ, ବୁଦ୍ଧିଜୀବି ମାନଙ୍କୁ ବେଦପଠନ ଓ ମାନବ ସମାଜରେ ଏହାର ସୁଦୂରପ୍ରସାରି ପ୍ରଭାବ ସମ୍ପର୍କରେ ଅବଗତ କରିଥିଲେ। ସମ୍ମାନିତ ଅତିଥି ଭାବେ ବ୍ୟଙ୍ଗକବି ପ୍ରଭାକର ସାହୁ, ରତ୍ନାକର ଟାଉନ ହାଇସ୍କୁଲର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ପଣ୍ଡା, ବିଶିଷ୍ଟ ଅତିଥି ଭାବେ ମାତା ପିତା ସାହିତ୍ୟ ସଂସଦର ପ୍ରତିଷ୍ଠାତା ଲୋଚନ ବେହେରା , ହରେକୃଷ୍ଣ ଗିରି, ବ୍ରହ୍ମାନନ୍ଦ ଦାସ, ଉତ୍ତମ କୁମାର ବିଶ୍ଵାଳ ଯୋଗଦେଇ ସଭାର ମହିମା ମଣ୍ଡିତ କରିଥିଲେ। ଅନୁରୂପ ଭାବେ ମଧ୍ୟାହ୍ନ ୧୨ଟା ରେ ଦ୍ଵିତୀୟ ପର୍ଯ୍ୟାୟ ଅଧିବେଶନରେ ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନଶିକ୍ଷକ ସୋମନାଥ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବରେ ନୀଳଗିରି ବିଧାୟକ ସନ୍ତୋଷ କୁମାର ଖଟୁଆ ଯୋଗଦେଇ ଭାରତୀୟ ସଂସ୍କୃତିରେ ବିଭିନ୍ନ ବେଦ, ପୁରାଣ, ଉପନିଷଦରେ ପୁଣ୍ୟାତ୍ମା ମହାମନିଷ ମାନଙ୍କର ତ୍ୟାଗପୂତ ସର୍ଜନୀ ମାନବ ସମାଜକୁ ରୁଦ୍ଧିମନ୍ତ କରିଥିବା ସୂଚନା ଦେଇଥିଲେ। ମୁଖ୍ୟବକ୍ତା ଭାବେ ଚେତନା ସାହିତ୍ୟ ସଂସଦର ସମ୍ପାଦକ ଶରତ ଚନ୍ଦ୍ର ମହାପାତ୍ର, ବିଶିଷ୍ଟ ବକ୍ତା ଉତ୍କଳ ସଂସ୍କୃତ ବିଶ୍ଵବିଦ୍ୟାଳୟ ସଦସ୍ୟ ଇଂ ଅଭୟ କୁମାର ସୁତାର, ସମ୍ମାନିତ ବକ୍ତା ଭାବେ ନୀଳଗିରି ମହିଳା ମହାବିଦ୍ୟାଳୟର ଅଧ୍ୟାପକ ଡଃ ପ୍ରଦୀପ୍ତ ମିଶ୍ର, ଗଙ୍ଗାଧର ଦାସ, ଜାନକୀ ପାଢ଼ୀ ପ୍ରମୁଖ ଯୋଗ ଦେଇଥିଲେ। ସମସ୍ତ କାର୍ଯ୍ୟକ୍ରମକୁ ଉକ୍ତ ସମନ୍ଵୟ ସମିତି ଓ ପ୍ରଶିକ୍ଷଣ ପାଠଶାଳାର ସଂପାଦିକା ସୁଭାଷିନୀ ଜୀ ପରିଚାଳନା କରିଥିଲେ। ଶିକ୍ଷାବିତ୍ ଓ ସମାଜସେବୀ ଇଂ ଦୀପ୍ତିକାନ୍ତ ମହାପାତ୍ର, ଅବସରପ୍ରାପ୍ତ ଶିକ୍ଷାବିତ ରଘୁନାଥ ରଥ, କବି ଗଙ୍ଗାଧର ଦାସଙ୍କୁ ଅନୁଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଥିବା ବେଳେ ଶରତ ଚନ୍ଦ୍ର ମହାପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ।

Post a Comment

Previous Post Next Post
Header ADS