ନୀଳଗିରି , ୨୪/୦୮ :- ନୀଳଗିରି ଉପଖଣ୍ଡ ଭାରତୀୟ ଜନତା ପାର୍ଟି କୃଷକ ମୋର୍ଚ୍ଚା ପକ୍ଷରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରି ନୀଳଗିରି ଉପଜିଲ୍ଲାପାଳ ଙ୍କ ଜରିଆରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ୧୨ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି। ଓଡ଼ିଶାରେ ଦୀର୍ଘ ୨୩ବର୍ଷଧରି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଏକ ଅପାରଗ ନିଷ୍କ୍ରିୟ ଚାଷୀ ବିରୋଧୀ ବିଜେଡି ସରକାର ଶାସନ କରୁଛି। ଏହି ସରକାରର ଚାଷୀମାରଣ ନୀତି ପାଇଁ ଚାଷୀ ଦୁଃଖ ଓ ନୈରାଶ୍ୟରେ କାଳାତିପାତ କରୁଛନ୍ତି। ଏହାର ପ୍ରତିବାଦ ସ୍ବରୂପ ଗୁରୁବାର ନୀଳଗିରି କୃଷକ ମୋର୍ଚ୍ଚା ପକ୍ଷରୁ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ ନେତୃତ୍ୱରେ ଚାଷ ଓ ଚାଷୀର ସୁରକ୍ଷା ପାଇଁ କୃଷି ଯନ୍ତ୍ରପାତି ଓ ଧାନକିଣାରେ ବ୍ୟାପକ ଦୁର୍ନୀତିର ସିବିଆଇ ତଦନ୍ତ ସହ ବହୁ ଦୁର୍ନୀତି ହୋଇଥିବାର ପ୍ରତିବାଦ କରି ନୀଳଗିରି ଉପଜିଲ୍ଲାପାଳ ମନ୍ଦରଧର ମହାଳିକଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ପ୍ରମୁଖ ଦାବୀ ମଧ୍ୟରେ କୃଷି ଯନ୍ତ୍ରପାତି ଓ ଧାନକିଣା ବ୍ୟତିତ କେନ୍ଦ୍ର ସରକାରଙ୍କ ରିହାତି ସାର ସମବାୟ ସଂସ୍ଥାକୁ କମ ଦେଇ ଘରୋଇ ବିତରକ ମାନଙ୍କୁ ଅଧିକ ଆବଣ୍ଟନ କରିବା ଯାହାଫଳରେ ଚାଷୀ କଳାବଜାରୀର ଶିକାର ହେବା, ପ୍ରଧାନମନ୍ତ୍ରୀ କିଷlନ ସମ୍ମାନ ନିଧି ଯୋଜନାରେ ଲକ୍ଷାଧିକ ଚାଷୀ ଅନ୍ତର୍ଭୁକ୍ତ ନକରିବା, ଅଗଷ୍ଟ ୧୫ପରିବର୍ତ୍ତେ ସେପ୍ଟେମ୍ବର ୧୫ପର୍ଯ୍ୟନ୍ତ ଚାଷୀ ପଞ୍ଜିକରଣ ସମୟ ସୀମା ବୃଦ୍ଧି କରିବା, କୃଷକ ମାନଙ୍କୁ ବିଦ୍ୟୁତ୍ ବିଲ୍ ଛାଡ଼, ବୋନସ ଟଂକା ପ୍ରଦାନ, ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ସ୍ଥାପନା କରିବା ପାନଚାଷୀ ଓ ଖଡ଼ି ଚାଷୀ ମାନଙ୍କୁ ଋଣ ପ୍ରଦାନ ସହ ସବସିଡି ଏବଂ ବୀମାଭୁକ୍ତ କରିବା, ପଣପଣl ସେବା ସମବାୟ ସମିତିରେ ହୋଇଥିବା ୧୦/୧୨କୋଟି ଟଙ୍କାର ସିବିଆଇ ତଦନ୍ତ ଆଦି ଦାବୀ ସମ୍ବଳିତ ଚିଠା ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ପଠାଯାଇଛି।ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କୃଷକ ମୋର୍ଚ୍ଚା ସଭାପତି କୈଳାସ ଚନ୍ଦ୍ର ବାରିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବୈରାଗୀ ଚରଣ ବେହେରା, ଜିଲ୍ଲା ସମ୍ପାଦକ ରେଣୁ ବିଶ୍ଵାଳ,ବିଜେପି ଜିଲ୍ଲା ଉପସଭାପତି ଗଙ୍ଗାଧର ମିଶ୍ର, ଉପେନ୍ଦ୍ର ଦାସ , ଭାଗବତ ଖିଲାର, ସୂର୍ଯ୍ୟ କୁମାର ସାହୁ, ଅନୀଲ ସାହୁ, ଶରତ ପାଣିଗ୍ରାହୀ ପ୍ରମୁଖ କର୍ମୀ ଓ ଶତାଧିକ ଚାଷୀ ଉପସ୍ଥିତ ରହିଥିଲେ।
Post a Comment