Header ADS

ବାଲେଶ୍ୱର ସେଣ୍ଟ୍ରାଲ ବ୍ୟାଙ୍କରେ ନକଲି ସୁନା ଦେଇ ଋଣ ଠକେଇ ମାମଲା; ମୁଖ୍ୟ ଅଭିଯୁକ୍ତ ସହ ୭ ଗିରଫ


 ବାଲେଶ୍ୱର, ୧୨/୦୮ -  ବାଲେଶ୍ୱର ସହରରେ ଥିବା ସେଣ୍ଟ୍ରାଲ ବ୍ୟାଙ୍କରେ ନକଲି ସୁନା ଦେଇ ଋଣ ମାଧ୍ୟମରେ ୭୦ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗରେ ଟାଉନ୍ ଥାନା ପୋଲିସ ୭ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ରେମୁଣା ଥାନା ଅର୍ନ୍ତଗତ ସାହାଜିପାଟଣା ଅଞ୍ଚଳର ପଦ୍ମଲୋଚନ ରଣା (୫୮), ସଦର ଥାନା ଅର୍ନ୍ତଗତ ଇଛାପୁର ଅଞ୍ଚଳର ଶତ୍ରୁଘ୍ନ ଭୋଇ (୫୨), ବାଲିଆପାଳ ଅଞ୍ଚଳର ଦିଲ୍ଲୀପ କୁମାର ଦାସ (୩୯), ବାଲିଆପାଳ ବିଷ୍ଣୁପୁର ଅଞ୍ଚଳର କାଳୀଚରଣ ଗିରି (୩୯), ଟାଉନ୍ ଥାନା ଅର୍ନ୍ତଗତ ବଣିଆମନ୍ଦିର ଅଞ୍ଚଳର ଅରୁଣ ଶେଖର ମହାରଣା (୨୮), ରେମୁଣା ଥାନା ଅର୍ନ୍ତଗତ ହିଡ଼ିଗାଁ ଅଞ୍ଚଳର ନିରଞ୍ଜନ ସେଠୀ (୫୬) ଏବଂ ବାଲିଆପାଳର କୁମ୍ଭାରିଆ ଗ୍ରାମର ପ୍ରଫୁଲ୍ଲ କୁମାର ମହାପାତ୍ର (୫୫) । ସେହିପରି ଏହି ଠକେଇ ମାମଲାରେ ମୋଟ୍ ୧୪ଜଣ ସମ୍ପୃକ୍ତ ଥିବା ଜଣାପଡ଼ି ଥିବାବେଳେ ଅନ୍ୟ ୭ଜଣଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଟାଉନ୍ ଥାନା ପରିସରରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ସିଟି ଡିଏସ୍‌ପି ଗାୟତ୍ରୀ ପ୍ରଧାନ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଗତ ୫ବର୍ଷ ତଳେ ପଦ୍ମଲୋଚନ ସେଣ୍ଟ୍ରାଲ ବ୍ୟାଙ୍କର ବଣିଆ  ଭାବେ ନିଯୁକ୍ତି ପାଇଥିଲେ । ସେ ବନ୍ଧକ ପାଇଁ ସୁନା ଯାଞ୍ଚ ସହ ବ୍ୟାଙ୍କକୁ ଜଣାଇବା ପରେ ଋଣ ପ୍ରଦାନ କରାଯାଉଥିଲା । ସେ ୨୦୧୯ ମସିହାରେ ୧୪ଜଣ ଜମାକାରୀଙ୍କ ନାମରେ ୨୬ଟି ଗୋଲଡ଼ ଲୋନ ପାଇଁ ଯାଞ୍ଚ ରିପୋର୍ଟ ଦେଇଥିଲେ । ତେବେ ଗତ ୧୦ତାରିଖ ଦିନ ସେଣ୍ଟ୍ରାଲ ବ୍ୟାଙ୍କର ଭୁବନେଶ୍ୱରରୁ ଏକ ଟିମ୍ ପହଞ୍ଚି ବ୍ୟାଙ୍କରେ ଥିବା ସୁନା ଯାଞ୍ଚ କରିବା ପରେ ୨୭୩୧.୦୯ଗ୍ରାମର ସୁନା ନକଲି ଥିଲା ବୋଲି ଜଣାପଡ଼ିଥିଲା । ଏହାକୁ ନେଇ ବ୍ରାଞ୍ଚ ମ୍ୟାନେଜର ଦୀନେଶ କୁମାର ଟାଉନ୍ ଥାନାରେ ଅଭିଯୋଗ କରିଥିଲେ । ଏନେଇ ପୋଲିସ ଏକ ମାମଲା (ନଂ.୨୧୩ ।୨୩) ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ବ୍ୟାଙ୍କର ବଣିଆ  ପଦ୍ମଲୋଚନ ଋଣ ନେବାକୁ ଆସୁଥିବା ବ୍ୟକ୍ତିଙ୍କ ନାମରେ ଜାଲ କାଗଜ ପତ୍ର ପ୍ରଦାନ ସହିତ ନକଲି ସୁନାକୁ ପ୍ରକୃତ ସୁନା ବୋଲି ରିପୋର୍ଟ ଦେଇ ଆସୁଥିଲେ । ତାଙ୍କର ନେତୃତ୍ୱରେ ୧୪ ଜଣିଆ ଗୋଷ୍ଠୀ ଦୀର୍ଘ ୫ବର୍ଷ ଧରି ଉକ୍ତ କାରବାର କରୁଥିବା ବେଳେ ଉଠା ଯାଉଥିବା ଋଣ ଟଙ୍କା ନିଜ ଭିତରେ ଭାଗବଣ୍ଟା କରିନେଉଥିଲେ । ପଦ୍ମଲୋଚନ ପ୍ରମାଣିତ କରିଥିବା ସୁନା ନକଲି ବାହାରିବା ପରେ ବ୍ୟାଙ୍କ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା । ସେ ୨୬ଟି ଗୋଲଡ଼ ଲୋନ ବାଦରେ ମୋଟ୍ ୬୯ଲକ୍ଷ ୬୮ହଜାର ୫୦୭ଟଙ୍କା ଠକେଇ କରିଥିବା ଜଣାପଡ଼ିଥିଲା । ପଦ୍ମଲୋଚନଙ୍କ ନାମରେ ପୂର୍ବରୁ ମଧ୍ୟ ବିଭିନ୍ନ ଠକେଇ ମାମଲା ରହିଛି । ଗତ ୨୦୨୨ମସିହାରେ ୫୦ଲକ୍ଷ ଟଙ୍କା ଠକେଇ କରିଥିବା ନେଇ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରେ ଅଭିଯୋଗ ହୋଇଥିବା ବେଳେ ବୈଶିଙ୍ଗାରୁ ୮ଲକ୍ଷ ଟଙ୍କାର ଠକେଇ ନେଇ ବୈଶିଙ୍ଗା ଥାନାରେ ମଧ୍ୟ ମାମଲା ରହିଥିବାର ସିଟି ଡିଏସ୍‌ପି ସୂଚନା ଦେଇଛନ୍ତି ।

 ଖବରଦାତା ସମ୍ମିଳନୀରେ ଟାଉନ ଥାନା ଅଧିକାରୀ ଦାୟିତ୍ୱରେ ଥିବା ଏସ୍‌ଆଇ ଶଶଧର ସେଠୀ, ଏସ୍‌ଆଇ ପ୍ରଶାନ୍ତ କୁମାର ପାଣି ପ୍ରମୁଖ ଉପସ୍ଥିତ ଥିଲେ

Post a Comment

Previous Post Next Post
Header ADS