ନୀଳଗିରି , ୨୧ / ୦୭ :-ଭୂ-ସଂସ୍କାର ଓ ଜମିଜମା ରେକର୍ଡର କମ୍ପ୍ୟୁଟରୀକରଣ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁଦେଶର ୭୫ ଜିଲ୍ଲାର ଜିଲ୍ଲାପାଳ, ସେମାନଙ୍କ ଟିମ ଏବଂ ୯ ଜଣ ସଚିବଙ୍କୁ ଭୂମି ସମ୍ମାନ-୨୦୨୩ରେ ସମ୍ମାନିତ କରିଛନ୍ତି ଭାରତର ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୭୫ ଜିଲ୍ଲାରୁ ଓଡ଼ିଶାରୁ ସର୍ବାଧିକ ୧୯ ଜିଲ୍ଲା ରହିଛି । ଏହି କ୍ରମରେ ଢେଙ୍କାନାଳ ଜିଲାପାଳ ସରୋଜ କୁମାର ସେଠୀଓ ତାଙ୍କ ଟିମକୁ ଭାରତ ସରକାରଙ୍କ ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଭୂମୀ ସଂଶାଧନ ବିଭାଗ ପକ୍ଷରୁ ଭୂମି ସମ୍ମାନ-୨୦୨୩ ପ୍ଲାଟିନମ୍ ଆୱାର୍ଡରେ ସମ୍ମାନିତ ହୋଇଛନ୍ତି । ଏନେଇ ତାଙ୍କ ଜନ୍ମମାଟି ନୀଳଗିରିର ବୁଦ୍ଧିଜୀବୀ ମହଲରେ ଶ୍ରୀ ସେଠୀଙ୍କୁ ସମସ୍ତଙ୍କୁ ନେଇ କାର୍ଯ୍ୟ କରାଇବାର ଦକ୍ଷତାକୁ ପ୍ରଶଂସା କରିଛନ୍ତି । ଶ୍ରୀ ସେଠୀ ହେଉଛନ୍ତି ନୀଳଗିରି ବ୍ଲକ ତେନ୍ତୁଳିଆ ଗ୍ରାମର ଗୁରୁପ୍ରସାଦ ସେଠୀ, ମାତା ରାହାସମଣୀ ସେଠୀଙ୍କ ପୁଅ । ବାପା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ। ସେ ଅଯୋଧ୍ୟା ସ୍କୁଲରେ ତୃତୀୟରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଥିଲେ । ସ୍କୁଲ ଶିକ୍ଷା ପରେ ବାଲେଶ୍ୱର ଏଫ୍ଏମ୍ କଲେଜରେ ସେ ଶିକ୍ଷାଲାଭ କରିଥିଲେ। ପରେ ବିଜେବି କଲେଜରେ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।୧୯୯୧ରୁ ଆରମ୍ଭ ହୋଇଥିଲା ତାଙ୍କ ଚାକିରୀ ଜୀବନ। ୧୯୯୯ ପ୍ରଳୟଙ୍କରୀ ମହାବାତ୍ୟା ସମୟରେ ବାଲେଶ୍ୱର ଜିଲ୍ଲାର ଆପଦ କାଳୀନ ଅଧିକାରୀ ଭାବରେ ଅବସ୍ଥାପିତ ଥାଇ ବାତ୍ୟା ମୁକାବିଲା କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।
ପରେ ବିଭିନ୍ନ ପଦବୀ ତଥା ଉଦଳା ଉପଜିଲ୍ଲାପାଳ, ବାଲେଶ୍ୱରରେ ବିଡ଼ିଓ, ତହସିଲଦାର, କଟକରେ ସିଡ଼ିଏ ସେକ୍ରେଟାରୀ, ଜଙ୍ଗଲ ବିଭାଗ ଓ ପଞ୍ଚାୟତିରାଜ ବିଭାଗର ଅତିରିକ୍ତ ଶାସନ ସଚିବ, ଭୁବନେଶ୍ବର ପାନୀୟ ବିଭାଗର ମ୍ୟାନେଜିଂ ଡାଇରେକ୍ଟର ପରେ ଏବେ ଢେଙ୍କାନାଳ ଜିଲ୍ଲାପାଳ ଭାବେ କାର୍ଯ୍ୟରତ ଅଛନ୍ତି। ଦୂରଦୃଷ୍ଟି ଓ ଗଭୀର ଧୀ -ସମ୍ପନ୍ନ ପ୍ରଶାସନିକ ଅଧିକାରୀ ଭାବେ ଶ୍ରୀ ସେଠୀ ନିଜ ଜିଲ୍ଲାରେ ସମସ୍ତ ବିଭାଗର ସମନ୍ବୟ ରକ୍ଷାକରି କିପରି ଜିଲ୍ଲାକୁ ଅଗ୍ରଗଣ୍ୟ କରିପାରିବେ ସେ ଦିଗରେ ସର୍ବଦା ଚେଷ୍ଟିତ। ତେବେ ପ୍ରଶାସନିକ କ୍ଷେତ୍ରରେ ହେଉ କିମ୍ବା ସାମାଜିକ କ୍ଷେତ୍ରରେ ସଦାସର୍ବଦା ଲୋକମାନଙ୍କ ପାଇଁ କାମ କରିବାର ଆଗ୍ରହ ତାଙ୍କୁ ଏଭଳି ସୁନାମ ଅର୍ଜନ କରିବା ପାଇଁ କେହି ବାଟ ଓଗାଳି ପାରିବେ ନାହିଁ।
Post a Comment