ନୀଳଗିରି, ୧୦/୦୫ :- ବାଲେଶ୍ୱର ଜିଲା ଅଧୀନ ନୀଳଗିରିର କୁଲଡିହା ଅଭୟାରଣ୍ୟ ଭିତରେ ଅବାଧରେ ପଶିଥିବା ଜଣେ ସଶସ୍ତ୍ର ଶିକାରୀକୁ ବନବିଭାଗ ଗିରଫ କରିଛି। ସୋର ଥାନା ବାଗୁଡ଼ି ନିକଟସ୍ଥ ଗୁଡ଼ିଖୋଳା ଗାଁର ଗୌତମ କଟୁଆଳ (୨୭) ଅନ୍ୟ ୨ଜଣ ସହଯୋଗୀ ଶିକାରୀଙ୍କ ସହ ଅଭୟାରଣ୍ୟର ହାତୀଖୋଲିଆ ବିଟ୍ ଅଧୀନ ଦୋହଲା ଜଙ୍ଗଲକୁ ପଶିଥିଲେ। ଏହି ଜଙ୍ଗଲର ୩ଟି ସ୍ଥାନରେ ସେମାନେ ବାର୍ହା ଫାଶ ବସାଇଥିଲେ। କୁଲଡିହା ରେଞ୍ଜ ଅଧିକାରୀ ଅନନ୍ତ ଜେନାଙ୍କ ନିର୍ଦେଶରେ ବନପାଳ ପଦ୍ମାବତୀ ବେହେରା, ବନରକ୍ଷୀ ଜୟନ୍ତ ପ୍ରଧାନ, କୁଳମଣି ମହାପାତ୍ର ପ୍ରମୁଖ ପାଟ୍ରୋଲିଂ କରୁଥିବା ସମୟରେ ସମ୍ପୃକ୍ତ ଶିକାରୀକୁ କାବୁ କରାଯାଇଛି। ଅନ୍ୟ ଦୁଇ ଶିକାରୀ ଫେରାର ହୋଇଯାଇଛନ୍ତି। ଗିରଫ ଶିକାରୀଙ୍କଠାରୁ ଗୋଟିଏ ଦେଶୀ ବନ୍ଧୁକ, ଗୋଳା ବାରୁଦ, ଶିକାରୀ ଟର୍ଚ୍ଚ, ୩ଟି ବାର୍ହା ଫାଶ ଜବତ କରାଯାଇଛି।
Post a Comment