Header ADS

ଶତାୟୁ ବୃଦ୍ଧା ମା’ଙ୍କୁ ରାଉରକେଲାରୁ ୩ ଲଗେଜ ସହ ବସ୍‌ରେ ବାଲେଶ୍ବର ପଠାଇଦେଲା ପୁଅ

 


ବାଲେଶ୍ଵର,୧୭/୦୪/୨୩ :- ଜନ୍ମଦାତ୍ରୀ ୧୦୩ ବର୍ଷର ବୃଦ୍ଧା ମା’ଙ୍କୁ ବି ନିଜ ପୁଅ ଏମିତି ବ୍ୟବହାର କରିବ ତାହା ବିଶ୍ବାସ ହେଉ ନଥିଲେ ସତ ହୋଇଛି। ସ୍ତ୍ରୀ କଥାରେ ପଡ଼ି ପୁଅ ନିଜ ମା’ଙ୍କୁ ୧୦ ଟଙ୍କିଆ ଗୋଟିଏ ମୁଦ୍ରା ଦେଇ ୩ ଲଗେଜ ସହ ରାଉରକେଲାରୁ ଏକ ଯାତ୍ରୀବାହୀ ବସ୍‌ରେ ପଠାଇ ଦେଇଛି। ଆଜି ସକାଳେ ବସ୍‌ଟି ବାଲେଶ୍ବର ଜିଲ୍ଲା ଜଳେଶ୍ଵରରେ ଲାଗିବା ପରେ ବୃଦ୍ଧା ଜଣକ ଓହ୍ଲାଇବା ପାଇଁ ଅସମର୍ଥ ହେବାରୁ ସ୍ଥାନୀୟ ଭୋଲାଭଣ୍ଡାରୀ ଅନ୍ନଦାତା ପରିବାରର ହରିଶଙ୍କର ପଣ୍ଡା ତାଙ୍କୁ ଉଦ୍ଧାର କରି ଥାନାରେ ଜିମା ଦେଇଛନ୍ତି। ଜନ୍ମଦାତ୍ରୀ ମା’ ପ୍ରତି ପୁଅର ଏପରି ଆଚରଣ ଏବେ ସଭ୍ୟ ସମାଜ ପ୍ରତି ଏକ ବଡ଼ ଆହ୍ବାନ ବୋଲି ବୁଦ୍ଧିଜୀବୀମାନେ ପ୍ରକାଶ କରିଛନ୍ତି, ଯାହା ଏବେ ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି।

ସୂଚନା ଅନୁସାରେ ବାଲେଶ୍ବର ଜିଲ୍ଲା ଭୋଗରାଇ ଥାନା ସୁନାଧରବସାଣ ଗ୍ରାମର ସ୍ବର୍ଗତ ରାମଚନ୍ଦ୍ର ପ୍ରଧାନଙ୍କ ସ୍ତ୍ରୀ ଗୁରୁବାରୀ। ତାଙ୍କ କହିବା ଅନୁଯାୟୀ ତାଙ୍କର ଭରଣପୋଷଣ ନେଇ ଦୁଇ ପୁଅ ମଧ୍ୟରେ ଅନେକ ସମୟରେ ଗଣ୍ଡଗୋଳ ହେଉଛି। ଦୁଇ ପୁଅ ମଧ୍ୟରୁ ବଡ଼ପୁଅ ଗାଁରେ ରହୁଥିବା ବେଳେ ସାନପୁଅ ରାଉରକେଲାରେ ବସବାସ କରୁଛନ୍ତି। ୬ ଦିନ ତଳେ ସାନପୁଅ ରାଉରକେଲାରୁ ନିଜ ଘରକୁ ଆସିଥିବା ବେଳେ ମା’ଙ୍କୁ ସାଙ୍ଗରେ ନେଇଯାଇଥିଲେ। ହେଲେ ସେଠାରେ ପହଞ୍ଚିବା ପରେ ଗୁରୁବାରୀକୁ ବୋହୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ। ନିର୍ଯାତନାରେ ଗୁରୁବାରୀ ଏତେ ଅତିଷ୍ଠ ହୋଇ ପଡ଼ିଥିଲେ ଯେ ସେଠାରେ ଆଉ ରହିବାକୁ ଚାହିଁ ନଥିଲେ। ଏ ବିଷୟରେ ପୁଅକୁ ଜଣାଇବା ପରେ ମା’ଙ୍କୁ ପୁଅ ୩ଟି ଲଗେଜ ସହ ରାଉରକେଲାରୁ ଶନିବାର ରାତି ପ୍ରାୟ ସାଢେ ୯ଟା ସମୟରେ ଏକ ଯାତ୍ରୀବାହୀ ବସରେ ଚଢ଼େଇ ଦେଇଥିଲେ।

ଆଜି ସକାଳ ପ୍ରାୟ ୧୦ ଟା ସମୟରେ ଜଳେଶ୍ଵର ବସଷ୍ଟାଣ୍ଡରେ ପହଞ୍ଚିବା ପରେ ବୃଦ୍ଧା ଜଣକ ବସରୁ ଓହ୍ଲେଇ ପାରିନଥିଲେ। ଏନେଇ ବସର କର୍ମଚାରୀମାନେ ତାଙ୍କୁ ପଚାରିବା ପରେ ସେ କାନ୍ଦି ପକାଇଥିଲେ। ବସ୍‌ର କର୍ମଚାରୀମାନେ ବୃଦ୍ଧାଙ୍କୁ ଯତ୍ନର ସହ ବସ୍‌ରୁ ତଳକୁ ଓହ୍ଲାଇବା ପରେ ଏହି ଘଟଣାକୁ ନେଇ ବସଷ୍ଟାଣ୍ଡରେ ଦୀର୍ଘ ସମୟ ଧରି ଆଲୋଚନା ପର୍ଯ୍ୟାଲୋଚନା ଲାଗି ରହିଥିଲା। ପରେ ଖବର ପାଇ ସେଠାରେ ପହଞ୍ଚିଥିଲେ ଭୋଲାଭଣ୍ଡାରୀ ଅନ୍ନଦାତା ପରିବାରର ହରିଶଙ୍କର ପଣ୍ଡା। ଶ୍ରୀ ପଣ୍ଡା ମହିଳାଙ୍କୁ ଏକ ରିକ୍ସା ଯୋଗେଁ ଜଳେଶ୍ଵର ଥାନାକୁ ଆଣି ପୁଲିସ ଜିମାରେ ଦେଇଥିଲେ। ଜଳେଶ୍ଵର ଆଇଆଇସି ରୋଜାଲିନ ବେହେରା ମହିଳାଙ୍କୁ ତାଙ୍କ ପରିବାର ବିଷୟରେ ପଚାରିବା ପରେ ସେ କାନ୍ଦି କାନ୍ଦି ତାଙ୍କ ସହ ଘଟିଥିବା ସବୁ ଘଟଣା କହିଥିଲେ। ଏସମ୍ପର୍କରେ ରାଉରକେଲାରେ ରହୁଥିବା ସାନପୁଅ ବରୁଣଙ୍କ ସହ ଯୋଗାଯୋଗ କଲାରୁ ସେ କହିଲେ ମା’ ଘରକୁ ଯିବାକୁ ଜିଦ ଧରିବାରୁ ମୁଁ ମାଙ୍କୁ ବସରେ ଚଢ଼େଇ ଭାଇକୁ ଜଣେଇ ଦେଇଥିଲି। ସେ ମା’ଙ୍କୁ ଜଳେଶ୍ଵର ନେବାକୁ ଆସିବେ ବୋଲି ମଧ୍ୟ ମୋତେ କହିଥିଲେ। କିନ୍ତୁ ଆଜି ନ ଆସିବାରୁ ବସ୍‌ର କର୍ମଚାରୀମାନେ ମୋତେ ଫୋନରେ ଜଣେଇଥିଲେ। ତାପରଠୁ ଭାଇକୁ ଫୋନ ଲଗାଉଛି ସେ ସେ ଫୋନ କରୁନାହାନ୍ତି। ଅନ୍ୟପକ୍ଷରେ ଗାଁରେ ରହୁଥିବା ବଡ଼ପୁଅ ସହ ଯୋଗାଯୋଗ କରାଯିବାକୁ ଚେଷ୍ଟା କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇନାହିଁ।

Post a Comment

أحدث أقدم
Header ADS