୫ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ RI
ବାଲେଶ୍ୱର, (ଓଡ଼ିଶା ଆଦର୍ଶ): ଜମି ମ୍ୟୁଟେସନ୍ କାର୍ଯ୍ୟ ସମ୍ପାଦନ କରିବା ସହ ପଟ୍ଟା (ROR) ପ୍ରଦାନ ପାଇଁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବାଲେଶ୍ୱର ଜିଲ୍ଲା ଖଇରା ତହସିଲ ଅଧୀନ ତୁଡ଼ିଗଡ଼ିଆ ରାଜସ୍ୱ ନିରୀକ୍ଷକ (RI) ଶରତ କୁମାର ସେଠୀ।ସୂଚନା ଅନୁଯାୟୀ, ଜଣେ ଆବେଦନକାରୀ ତାଙ୍କ ଜେଜେବାପାଙ୍କ ନାମରେ ଥିବା ପୈତୃକ ସମ୍ପତ୍ତିର ମ୍ୟୁଟେସନ୍ କରି ପଟ୍ଟା ପାଇବା ପାଇଁ ଆବେଦନ କରିଥିଲେ। ଅଭିଯୋଗ ଅନୁସାରେ, ଅନୁକୂଳ ଫିଲ୍ଡ ଏନକ୍ୱାରୀ ରିପୋର୍ଟ ଦେବା ଏବଂ ପଟ୍ଟା କରାଇଦେବା ପାଇଁ RI ଶରତ କୁମାର ସେଠୀ ଆବେଦନକାରୀଙ୍କୁ ୫,୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ।ଲାଞ୍ଚ ଦେବାକୁ ଅନିଚ୍ଛୁକ ଆବେଦନକାରୀ ଏ ସମ୍ପର୍କରେ ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ଏହାପରେ ଭିଜିଲାନ୍ସ ଟିମ୍ ପୂର୍ବ ଯୋଜନା ଅନୁଯାୟୀ ଜାଲ ବିଛାଇଥିଲା। ଆଜି ୧୨ ଅଗଷ୍ଟ ୨୦୨୬ରେ ନିଜ କାର୍ଯ୍ୟାଳୟରେ ୫ ହଜାର ଟଙ୍କା ଲାଞ୍ଚ ଗ୍ରହଣ କରୁଥିବା ସମୟରେ ଶରତ କୁମାର ସେଠୀଙ୍କୁ ଭିଜିଲାନ୍ସ ଟିମ୍ ଧରିଥିବା ସୂଚନା ମିଳିଛି। ତାଙ୍କ ନିକଟରୁ ଲାଞ୍ଚ ଟଙ୍କା ଜବତ କରାଯାଇଛି।ଟ୍ରାପ୍ ପରେ ଆୟବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ଯାଞ୍ଚ ପାଇଁ RI ଶରତ କୁମାର ସେଠୀଙ୍କ ସହ ସମ୍ପର୍କିତ ଦୁଇଟି ସ୍ଥାନରେ ଏକକାଳୀନ ଚଢ଼ାଉ ଜାରି ରହିଛି।ଏହି ଘଟଣାରେ ବାଲେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ନମ୍ବର ୧୫/୨୦୨୬ ରୁଜୁ ହୋଇଛି। ଭ୍ରଷ୍ଟାଚାର ନିବାରଣ ସଂଶୋଧନ ଆଇନ, ୨୦୧୮ର ଧାରା ୭ ଅନୁଯାୟୀ ମାମଲା ରୁଜୁ କରାଯାଇ ଘଟଣାର ଅଧିକ ତଦନ୍ତ ଜାରି ରହିଛି।



Post a Comment