ଖନ୍ତାପଡ଼ା ଦୁର୍ଘଟଣାର ଦୁଃଖଦ ଖବର, ସାନ ଝିଅ ପରେ ବଡ଼ ଝିଅର ମୃତ୍ୟୁ
ବାଲେଶ୍ୱର,୧୦/୪(ଓଡ଼ିଶା ଆଦର୍ଶ):ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ଚକଜନ୍ନାଥପୁର ଗ୍ରାମର ୮ ବର୍ଷୀୟା ସ୍ମୃତି ମହାଳିକଙ୍କ ର ଆଜି ଭୁବନେଶ୍ୱରର ହାଇଟେକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ଏହା ପୂର୍ବରୁ ସେହି ଦୁର୍ଘଟଣାରେ ତାଙ୍କର ଦେଢ଼ ବର୍ଷର ଛୋଟ ଭଉଣୀ କିର୍ତ୍ତି ମହାଳିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା। ଏବେ ଦୁର୍ଘଟଣାରେ ଦୁଇଟି ଯାକ କନ୍ୟାଙ୍କୁ ହାରାଇ ବାପା-ମା ଙ୍କ କୁଳଶୂନ୍ୟ ହୋଇପଡ଼ିଥିବା ବେଳେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି। ସୂଚନା ଅନୁଯାୟୀ ଚଳିତ ଏପ୍ରିଲ ୩ ତାରିଖରେ ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅଧୀନ ଚକଜନ୍ନାଥପୁର ଗ୍ରାମର ରାଜେନ୍ଦ୍ର ମହାଳିକଙ୍କ ସ୍ତ୍ରୀ ଆଶ୍ରିତା ମହାଳିକ ଙ୍କ ସହିତ ଗ୍ରାମର କିଛି ମହିଳାମାନେ ଏକ ଟେମ୍ପୁ ରିଜର୍ଭ କରି ସୋର ଅଞ୍ଚଳକୁ ଏକ ଫାଇନାନ୍ସ କମ୍ପାନୀରୁ ଋଣ ଆଣିବା ପାଇଁ ଯାଇଥିଲେ। ଫେରୁଥିବା ସମୟରେ ୧୬ନମ୍ବର ଜାତୀୟ ରାଜପଥର ଖନ୍ତାପଡ଼ା ଖୁସି ହୋଟେଲ୍ ଠାରୁ ଅନତିଦୂରରେ ଭୁବନେଶ୍ୱର ପଟୁ ଆସୁଥିବା ଏକ ମହିନ୍ଦ୍ରା ଥାର ଗାଡ଼ି ପଛପଟୁ ଟେମ୍ପୁକୁ ଜୋରଦାର ଧକ୍କା ଦେଇଥିଲା। ଧକ୍କାଟି ଏତେ ଭୟାବହ ଥିଲା ଯେ ଟେମ୍ପୁରେ ଥିବା ସମସ୍ତ ଯାତ୍ରୀ ଗୁରୁତର ଭାବେ ଆହତ ହୋଇଥିଲେ ଏବଂ ଘଟଣାସ୍ଥଳରେ ଦେଢ଼ ବର୍ଷର କନ୍ୟା କିର୍ତ୍ତି ମହାଳିକଙ୍କ ମୃତ୍ୟୁ ହୁଇଥିଲା ଗୁରୁତର ଆହତ ୮ ବର୍ଷୀୟା ସ୍ମୃତି ମହାଳିକଙ୍କୁ ପ୍ରଥମେ ସ୍ଥାନୀୟ ଖନ୍ତାପଡ଼ା ହସ୍ପିଟାଲ ଓ ପରେ କଟକ ଏବଂ ଶେଷରେ ଭୁବନେଶ୍ୱରର ହାଇଟେକ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ଡାକ୍ତରମାନଙ୍କର ଅନବରତ ଚେଷ୍ଟା ସତ୍ତ୍ୱେ ଆଜି ଶେଷରେ ସେ ମଧ୍ୟ ଜୀବନ ସଂଗ୍ରାମରେ ହାରିଗଲେ। ଏବେ ଦୁର୍ଘଟଣାରେ ଦୁଇଟି ଯାକ କନ୍ୟାଙ୍କୁ ହରାଇ ମା’ବାପା ହତବାକ ହୋଇଯାଇଛନ୍ତି । ଏହି ହୃଦୟ ବିଦାରକ ଦୁର୍ଘଟଣା ସମଗ୍ର ଅଞ୍ଚଳକୁ ସ୍ତବ୍ଧ କରିଦେଇଥିବା ବେଳେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭାରି ଅସନ୍ତୋଷ ପ୍ରକାଶ ପାଇଛି। ଦୁର୍ଘଟଣାରେ ଜଡିତ ଦୋଷୀ ଗାଡ଼ି ଚାଳକଙ୍କ ବିରୋଧରେ ଶୀଘ୍ର ଏବଂ କଠୋର କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି ଜୋର ଧରିଛି।



Post a Comment