ଜଙ୍ଗଲରୁ କାଠ ସଂଗ୍ରହ କରୁଥିବା ବେଳେ ଦଳିଦେଲା ଦନ୍ତା
ନୀଳଗିରି,୪/୧(ଓଡ଼ିଶା ଆଦର୍ଶ): ନୀଳଗିରିରେ ହାତୀ ଆତଙ୍କ। ଜଙ୍ଗଲରୁ ଜାଳେଣି କାଠ ସଂଗ୍ରହ କରି ଫେରୁଥିବା ବେଳେ ଦଳି ମାରିଦେଲା ଦନ୍ତା । ସୂଚନା ଅନୁଯାୟୀ ନିଳଗିରି ଉପଖଣ୍ଡ ଅଧୀନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ଶ୍ରୀଦେଇପୁର ଗାଁର କିଛି ଲୋକେ ସ୍ଥାନୀୟ କୁଲଡିହା ଅଭୟାରଣ୍ୟ ଅଧୀନ ଖୁମ୍କୁଟ ଜଙ୍ଗଲକୁ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିଲେ । ଏମାନଙ୍କ ମଧ୍ୟରୁ ବୈରାଗି ଦେହୁରି ଓ ସୁକାନ୍ତି ଦେହୁରି ସ୍ଵାମୀ ସ୍ତ୍ରୀ ଉଭୟ କାଠ ସଂଗ୍ରହ କରି ଫେରୁଥିବା ସମୟରେ ବୈରାଗି କୁ ଜଙ୍ଗଲ ରେ ହଠାତ ଏକ ଦନ୍ତାହାତୀ ଗୋଡ଼ାଇଥିଲା । ବୈରାଗୀ ଦନ୍ତା ହାବୁଡ଼ରେ ପଡ଼ି ଯିବାରୁ ହାତୀଟି ତାଙ୍କୁ ଶୁଣ୍ଢରେ କଚାଡ଼ି ଦଳି ଦେଇଥିଲା । ସାଥିରେ ଥିବା ଅନ୍ୟ ଗାଁ ଲୋକ ପାଟିହୁରି କରିବାରୁ ହାତୀଟି ଜଙ୍ଗଲ ଭିତରକୁ ପଶି ଯାଇଥିଲା। ତେବେ ସାଙ୍ଗରେ ତାଙ୍କର ସ୍ତ୍ରୀ ସୁକାନ୍ତି ଥିଲେହେଁ ହାତୀ ସାମ୍ନାରୁ ସ୍ବାମୀ କୁ ବଞ୍ଚାଇ ପାରି ନଥିଲେ ଫଳରେ ସ୍ତ୍ରୀ ସମ୍ମୁଖରେ ସ୍ୱାମୀର ଜୀବନ ଚାଲିଗଲା। ଖବର ପାଇବା ପରେ ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ମେଡ଼ିକାଲ କୁ ନେଇଥିଲେ ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏନେଇ ନୀଳଗିରି ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି । ତେବେ ବୈରାଗୀ ଏକ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ବନ ବିଭାଗ ପକ୍ଷରୁ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।



إرسال تعليق