ଅଦିନିଆ ବର୍ଷା ପାଈଁ ଚିନ୍ତାରେ ଚାଷୀ
ନୀଳଗିରି, ୨୬/୧୨(ଓଡ଼ିଶା ଆଦର୍ଶ):ଦୁଇଦିନ ହେଲା ଅଦିନିଆ ବର୍ଷା କାରଣରୁ ଧାନ ଚାଷ ନଷ୍ଟ ହୋଇଛି । କେବଳ ଧାନ ନୁହଁ ପରିବା ଫସଲ ମଧ୍ୟ ବାଦ ପଡିନାହିଁ । ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ଅଦିନିଆ ବର୍ଷା କାରଣରୁ ଚାଷୀ ମାନଙ୍କ ଆର୍ଥିକ ମାନଦଣ୍ଡ ଦୋହଲି ଯାଇଛି । ପୂର୍ବରୁ ଲଘୁଚାପ ବର୍ଷା କାରଣରୁ ଚାଷ ନଷ୍ଟ ହୋଇଥିଲା । ଦୁଇଦିନ ହେଲା ପୁଣି ବର୍ଷା ପାଇଁ ଧାନ ଅମଳ ହେବାର ଆଶା ଛାଡ଼ିଦେଇଛନ୍ତି ଚାଷୀ।ପରିବା ଚାଷ କରି ପେଟ ପୋଷୁଥିବା ଚାଷୀ ମାନଙ୍କର ଦୁର୍ଦ୍ଦଶା କହିଲେ ନସରେ ।ବର୍ଷା ପାଇଁ ଏକର ଏକର ପରିବା ଚାଷ ନଷ୍ଟ ହେବା ଦେଖିବାକୁ ମିଳିଛି । ସବୁଠାରୁ ଅଧିକ ନଷ୍ଟ ହୋଇଛି କୋବିଚାଷ । ସୋନନଦୀ, ଘାଘରା ନଦୀ କୂଳରେ ହୋଇଥିବା ମଛୁଆ, ବେଗୁନିଆ, ରାଧାକିଶୋରପୁର, କାଂଶ,ନରସିଂହପୁର ପଞ୍ଚାୟତରେ ହେକ୍ଟର ହେକ୍ଟର ପରିବା ଚାଷ ନଷ୍ଟ ହୋଇଥିବା ଦେଖାଯାଇଛି । ଗଛରେ ପୋକ ଲାଗିଥିବା ବେଳେ କୋବି ସହ ଅନ୍ୟାନ୍ୟ ପରିବା ଚାଷ ନଷ୍ଟ ହୋଇଛି । ତେବେ ସରକାରୀ ସ୍ତରରେ ସହାୟତା ଯୋଗାଇଦେବାକୁ ଚାଷୀ ଦାବି କରିଛନ୍ତି।
إرسال تعليق