ନୀଳଗିରି,୧୪/୯(ଓଡ଼ିଶା ଆଦର୍ଶ): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ବାଲେଶ୍ୱର ଜିଲ୍ଲା ନୀଳଗିରି ଉପଖଣ୍ଡ ଅଧିନସ୍ଥ ବାବା ପଞ୍ଚଲିଙ୍ଗେଶ୍ୱର ପୀଠକୁ ବୁଲିବାକୁ ଆସିଥିବା ବଙ୍ଗୀୟ ପର୍ଯ୍ୟଟକଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଆଜି ନୀଳଗିରି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ସୂଚନା ମୁତାବକ ଗତ ୧୧ ତାରିଖ ବୁଧବାର ପଶ୍ଚିମବଙ୍ଗ ହାଓଡ଼ା ଜିଲ୍ଲା ଶ୍ୟାମପୁର ଥାନା ଅଞ୍ଚଳର ୬୦ରୁ ଉର୍ଦ୍ଧ ବଙ୍ଗୀୟ ପର୍ଯ୍ୟଟକ ବାବା ପଞ୍ଚଲିଙ୍ଗେଶ୍ୱର ଶୈବପୀଠକୁ ଏକ ଘରୋଇ ବସଯୋଗେ ବୁଲିବାକୁ ଆସିଥିଲେ | ଯିବାବେଳେ ପର୍ଯ୍ୟଟକ ମାନଙ୍କ ମଧ୍ୟରୁ ଉକ୍ତ ଥାନା ଅନ୍ତର୍ଗତ ଗୋବିନ୍ଦପୁର ଗ୍ରାମର ସ୍ବର୍ଗତ ଈଶ୍ୱର ବିବେକାନନ୍ଦ କୁନ୍ତୀଙ୍କ ପୁଅ ସୁଜିତ କୁନ୍ତୀ (୪୮) ବସରେ ଯାଇ ନପାରି କୁଆଡ଼େ ନିଖୋଜ ହୋଇଯାଇଛନ୍ତି ବୋଲି ଆଜି ସୁଜିତଙ୍କ ପୁଅ ଶୈକତ କୁନ୍ତୀ, ଭାଇ ସୁନୀଲ କୁନ୍ତୀ, ପୁତୁରା ପୁଷ୍ପେନ୍ଦୁ କୁନ୍ତୀ ଆଜି ସକାଳ ୧୦ ଘଟିକାରେ ଶୈବପୀଠରେ ପହଞ୍ଚି ସିସି ଟିଭି ଫୁଟେଜ ଯାଞ୍ଚ କରିବା ସହିତ ପୀଠ ସ୍ଥଳୀରେ ଥିବା ଦୋକାନୀ ମାନଙ୍କୁ ଫୋଟୋ ଦେଖାଇ ନିଖୋଜ ବାପାଙ୍କର ଖବର ପଚାରିଥିଲେ | ବହୁ ଖୋଜା ଖୋଜି କରିବା ପରେ ସୁଜିତର ଠିକଣା ନପାଇ ନିରୁପାୟ ହୋଇ ନୀଳଗିରି ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି | ଅଭିଯୋଗ ପାଇ ପୋଲିସ ତଦନ୍ତ ଚଳାଇଥିବା ସୂଚନା ମିଳିଛି।
Post a Comment