ନୀଳଗିରି, ୦୪/୦୮ (ଓଡ଼ିଶା ଆଦର୍ଶ)ଭାଷାର ବିକଶିତ ଓ ଉଜ୍ଜ୍ବଳ ଭବିଷ୍ୟତ ଗଠନ ପାଇଁ ତରୁଣ ପୀଢି ମାନଙ୍କୁ ମାର୍ଜିତ ଭାଷା ଶିକ୍ଷଣର ଆବଶ୍ୟକ ରହିଛି । ଏହି ପରିପେକ୍ଷୀରେ ଏହି ଭାଷା ଶିକ୍ଷାର ମହତ୍ ଉଦ୍ଦେଶ୍ଯ ନେଇ ଫକୀରମୋହନ ବିଶ୍ୱବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗ ତରଫରୁ " ଆସ ଭାଷା ଶିଖିବା" ନାମକ ଏକ ନୂତନ ତଥା ଭିନ୍ନ କାର୍ଯ୍ୟକ୍ରମର ଆରମ୍ଭ କରାଯାଇଛି।
ବର୍ତ୍ତମାନ ଛାତ୍ରଛାତ୍ରୀଙ୍କ ମଧ୍ଯରେ ଶୁଦ୍ଧ ଭାଷାର ଲିଖନ, ପଠନ ଓ କଥନ ପ୍ରତି ବିମୁଖତା ଦେଖାଯାଉଛି। ବିଦ୍ୟାଳୟରେ ପାଠ୍ୟକ୍ରମ ସହ ଶୁଦ୍ଧ ଭାଷାର ପ୍ରୟୋଗ ଓ ବ୍ୟାକରଣ ଜ୍ଞାନ ଆହରଣ ନିତ୍ୟାନ୍ତ ଜରୁରୀ ହୋଇପଡ଼ିଛି। ଏହି ସମସ୍ୟାକୁ ହୃଦୟଙ୍ଗମ କରି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଦିଗଦର୍ଶନରେ ତଥା ଭାଷା ଓ ସାହିତ୍ୟ ବିଭାଗ ମୂଖ୍ଯ ପ୍ରଫେସର ଦେବାଶିଷ ପାତ୍ରଙ୍କ ତତ୍ତ୍ବାବଧାନରେ ଏକ ଖସଡ଼ା ପ୍ରସ୍ତୁତ କରାଯାଇ ସ୍ଥାନୀୟ ଉଚ୍ଚବିଦ୍ୟାଳୟ ମାନଙ୍କରେ ଭାଷା ଶିକ୍ଷଣ ପାଇଁ ପଦକ୍ଷେପ ଗ୍ରହଣ କରାଯାଇଛି।
ଏହି କ୍ରମରେ ବିଶ୍ୱବିଦ୍ୟାଳୟର ପୋଷ୍ୟ ଗ୍ରାମ ନୂଆପାଢୀ ସ୍ଥିତ ସତକାରୀ ଉଚ୍ଚବିଦ୍ୟାଳୟର ଅଷ୍ଟମ ରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ଓଡ଼ିଆ ଓ ସଂସ୍କୃତ ଭାଷାର ମୌଳିକ ଦିଗଗୁଡିକର ଅଧ୍ୟୟନ ବିଷୟରେ ଶିକ୍ଷା ଦିଆଯାଇଛି। ଭାଷାର ମୂଳଲକ୍ଷ୍ୟ ଓ ପ୍ରୟୋଗବିଧି , ଓ ବିଶେଷକରି ସାମାଜିକ ଜୀବନରେ ତାହାର ଆବଶ୍ଯକତା ବିଷୟରେ ଅବଗତ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ପ୍ରଫେସର ଦେବାଶିଷ ପାତ୍ର, ଡ଼କ୍ଟର ଜୟନ୍ତ କୁମାର ଦାସ, ଡ଼କ୍ଟର ପ୍ରହ୍ଲାଦ ଖିଲା, ଡ଼କ୍ଟର ଦେବାଶିଷ ମିଶ୍ର, ଡ଼କ୍ଟର ପ୍ରୀତିରଞ୍ଜନ ମାଝିଙ୍କ ସହ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ। ପ୍ରାୟ ୧୦୦ ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଶିକ୍ଷାଲାଭ କରିଥିଲେ ଓ ଆସନ୍ତା କାର୍ଯ୍ୟକ୍ରମଗୁଡ଼ିକରେ ଏଥିରେ ଅନେକ ଛାତ୍ରଛାତ୍ରୀଙ୍କୁ ଯୋଗଦେବା ପାଇଁ ଉତ୍ସାହିତ କରାଯିବ ବୋଲି ପ୍ରଧାନ ଶିକ୍ଷକ ଆଶାବ୍ୟକ୍ତ କରିଛନ୍ତି। ଆଗାମୀଦିନରେ ଅନ୍ୟାନ୍ଯ ଉଚ୍ଚବିଦ୍ୟାଳୟ ମାନଙ୍କରେ ଏହି ଶିକ୍ଷଣ କାର୍ଯ୍ୟକ୍ରମକୁ ବ୍ୟାପକ କରାଯିବ ବୋଲି ବିଶ୍ୱବିଦ୍ୟାଳୟର ଭାଷା ଓ ସାହିତ୍ୟ ବିଭାଗର ମୁଖ୍ଯ ସୂଚୀତ କରିଛନ୍ତି।
إرسال تعليق