ବିଶ୍ୱାସର ଠାକୁର ଚନ୍ଦନେଶ୍ୱର ମହାଦେବଙ୍କ ଅପାର କରୁଣାରୁ ଓଡ଼ିଶା ସମେତ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ ଓ ବାଂଲାଦେଶରୁ ଅସଂଖ୍ୟ ଶୈବଭକ୍ତଙ୍କ ଆଗମନରେ ଚଳଚଞ୍ଚଳ ହୋଇଛି ଜୀଉଙ୍କ ପୀଠ । ଦିନ ଓ ରାତି ତମାମ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିଥିଲା ଏହି ପ୍ରସିଦ୍ଧ ଶୈବପୀଠକୁ । ଦଳଦଳ ହୋଇ ଶ୍ରଦ୍ଧାଳୁମାନେ ଜୀଉଙ୍କ ଉଦ୍ଦେଶ୍ୟରେ ମାନସିକ ଉପବୀତ ଧାରଣ କରିବା ନିମନ୍ତେ ସେବାୟତ, ପଣ୍ଡା, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ଯାତ୍ରୀ ନିବାସ ଠାରେ ଆଶ୍ରୟ ନେଇଥିବାର ନଜରକୁ ଆସିଛି ।
ଉପବୀତଧାରି ଭକ୍ତଙ୍କ ସକାଶେ ବିଜୁ ପଟ୍ଟନାୟକ ଗୋଲେଇ ଠାରେ ତିନୋଟି ଓ ମନ୍ଦିର ସମ୍ମୁଖରେ ଗୋଟିଏ ଭକ୍ତଙ୍କ ସକାଶେ ଟିଟକ କାଉଣ୍ଟର ଖୋଲା ରହିଛି । ଶ୍ରଦ୍ଧାଳୁଙ୍କ ନିମନ୍ତେ ୨୪ ଘଣ୍ଟିଆ ବିଜୁଳି ଆଲୁଅ, ବିଶୁଦ୍ଧ ପାଣି ଓ ଶୌଚାଗାର ଉପରେ ଟ୍ରଷ୍ଟ ବୋର୍ଡ଼ ଓ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଇଛି । ମନ୍ଦିର ପରିସରରେ ହଜାର ହଜାର ଶ୍ରଦ୍ଧାଳୁଙ୍କ ଭକ୍ତି ନୈବିଦ୍ୟ, ଝାଲି, ଘଣ୍ଟା, ହରିବୋଲ ଧ୍ୱୀନରେ ଚନ୍ଦନେଶ୍ୱର ପୀଠ ପ୍ରକମ୍ପିତ ହେଉଥିବା ବେଳେ ଜଳେଶ୍ୱର-ଚନ୍ଦନେଶ୍ୱର-ବର୍ଡ଼ର ଚନ୍ଦନେଶ୍ୱର ରାସ୍ତା ଭକ୍ତଙ୍କ ସୁଅ ଛୁଟୁଛି । ପଶ୍ଚିମବଙ୍ଗ ପରିବହନ ବିଭାଗ କଲକାତାର ବର୍ଡ଼ର ପର୍ଯ୍ୟନ୍ତ ୨୫୦ରୁ ଉର୍ଦ୍ଧ୍ୱ ବସ୍ ଯୋଗାଇ ଦେଇଥିବା ବେଳେ ସାଗରଦ୍ୱୀପ ଓ ରସଲପୁର ଜଳପଥ ନିମନ୍ତେ ଘନଘନ ଲଞ୍ଚ ଫେରିଘାଟର ଯାତ୍ରୀଙ୍କ ନିମନ୍ତେ ସୁବନ୍ଦୋବସ୍ତ କରିଛନ୍ତି । ଜୀଉଙ୍କ ଠାରେ ୫ଶହରୁ ଉର୍ଦ୍ଧ୍ୱ ଭକ୍ତ ମାନସିକ ପୂର୍ଣ୍ଣ ନିମନ୍ତେ ଅଧିଆ ପଡ଼ି ଭୋଳାନାଥଙ୍କ ଠାରେ ସାଧନା କରିବା ସହିତ ମନ୍ଦିର ଚାରିପଟେ ଦଣ୍ଡ ପଡ଼ି ବହୁ ଭକ୍ତ ଶିବଙ୍କୁ ଆରାଧନା କରୁଥିବାର ଦେଖା ଯାଇଛି । ଭୁବନେଶ୍ୱର ଏମ୍ସର ଖ୍ୟାତନାମା ବିଶେଷଜ୍ଞ ଡାକ୍ତର ସରୋଜ କୁମାର ଦାସ ମଜୁମଦାର ଓ କଟକ ବଡ଼ ଡାକ୍ତରଖାନାର ବିଶେଷଜ୍ଞ ଶୁଭଲକ୍ଷ୍ମୀ ରାଉତରାୟଙ୍କ ତତ୍ତ୍ୱାବଧାନରେ ସାମାଜିକର୍ମୀ ବାଲଗୋପାଲ ଦାସ, ପ୍ରଦୀପ ଦାସ ମହାପାତ୍ର, ରଞ୍ଜନ ଦାସ, ତାପସ କୁମାର ପାତ୍ର, ରମାକାନ୍ତ ପରିଡ଼ା ପ୍ରମୁଖ ଶନିବାର ଠାରୁ ଶ୍ରଦ୍ଧାଳୁଙ୍କୁ ୨୪ ଘଣ୍ଟିଆ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଛନ୍ତି । ଅପରପକ୍ଷରେ ରବିବାର ଯାତ୍ରୀଙ୍କ ସକାଶେ ଏକ ନିଃଶୁଳ୍କ ଶୌଚାଗାରକୁ ଉଦ୍ଘାଟନ କରିଥିଲେ ବିଧାୟକ ଅନନ୍ତ ଦାସଙ୍କ ପ୍ରତିନିଧି ବିଶ୍ୱଜିତ୍ ଦାସ, ମୌରସୀ ତପନ କୁମାର ପଣ୍ଡା, ଉପମୌରସୀ ବୁଦ୍ଧଦେବ ପଣ୍ଡା ପ୍ରମୁଖ ଶ୍ରୀଜଗନ୍ନାଥ ଏସ୍ଏସ୍ଜି ଗ୍ରୁପ୍ ସହିତ ଏହାର ସଭାନେତ୍ରୀ ମମତା ରାଣୀ ଦାସଙ୍କୁ ଏହି ଦାୟିତ୍ୱ ଜିଲାପାଳ ଦେଇଛନ୍ତି । ମହାଦେବଙ୍କ ପାଞ୍ଚ ଅର୍ଘ୍ୟରେ ଜିଲା ଯୋଜନା ବୋର୍ଡ଼ ଅଧ୍ୟକ୍ଷ ତଥା ବିଧାୟକ ଅନନ୍ତ ଦାସ, ବ୍ଲକ ଚେୟାରମ୍ୟାନ୍ ପ୍ରବୀର କୁମାର ଗିରି, ବିଜେଡି ନେତା ଇଂ. ବିଦୁବେନ୍ଦୁ ପାତ୍ର, ମୌରସୀ ତପନ ପଣ୍ଡା, ଉପ-ମୌରସୀ ବୁଦ୍ଧଦେବ ପଣ୍ଡା, ତହସିଲଦାର ସୁଶାନ୍ତ କୁମାର ପଟ୍ଟନାୟକ, ଏସ୍ଡିପିଓ ଦିଲ୍ଲୀପ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Post a Comment