Header ADS

ଲାଗୁ ହେଲା ନୂଆ ଅବକାରୀ ପଲିସୀ : ଗ୍ରାମାଞ୍ଚଳରେ ଖୋଲିବନି ମଦ ଦୋକାନ, ହୋଟେଲ୍‌କୁ ବାର୍‌ ଅନୁମତି

 


ଭୁବନେଶ୍ୱର : ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ନୂଆ ଅବକାରୀ ପଲିସୀ ଲାଗୁ କରିଛନ୍ତି । ରାଜ୍ୟ ସରକାରଙ୍କ ଅବକାରୀ ବିଭାଗ ପକ୍ଷରୁ ନୂଆ ଅବକାରୀ ପଲିସୀ ଜାରି କରାଯାଇଛି ।

ନୂଆ ଅବକାରୀ ନୀତି ଅନୁସାରେ ୨୦୨୩-୨୪ବର୍ଷରେ ଗ୍ରାମାଞ୍ଚଳରେ ଖୋଲିବନି ନୂଆ ମଦ ଦୋକାନ। ସେହିପରି ସହରାଞ୍ଚଳରେ ରୁମ୍‌ ବ୍ୟବସ୍ଥା ଥିବା ହୋଟେଲ୍‌କୁ ବାର୍‌ ପାଇଁ ଅନୁମତି ମିଳିବ। ଅନ୍ୟପକ୍ଷରେ ଲେବଲ୍‌ ପଞ୍ଜୀକରଣ ଫି ୪୦ ହଜାରରୁ ବଢ଼ି ୫୦ ହଜାର୍‌ ହେବ । ଠିପି ବନ୍ଦ ମଦ ଦୋକାନ ଲାଇସେନ୍ସ ଶୁଳ୍କ ୧ ଲକ୍ଷ ୧୦ ହଜାରରୁ ବଢ଼ି ୧ ଲକ୍ଷ ୨୦ ହଜାର୍ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ବିୟର ପାର୍ଲରମାନଙ୍କରେ ମଦ ମିଳିବା ସହ ସମୁଦ୍ରକଳ ପର୍ଯ୍ୟଟକଙ୍କ ପାଇଁ ମଦ ଉପଲବ୍ଧ ହେବ । ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଏହି ନିଷ୍ପତ୍ତି ନିଆଯାଇଛି । ଏ ବାବଦରେ ରାଜ୍ୟ ପର୍ଯ୍ୟଟନ ବିକାଶ ନିଗମ (ଓଟିଡିସି)କୁ ମଧ୍ୟ ଅବଗତ କରାଯାଇଛି ।


ସୂଚନା ଯେ, ଗତବର୍ଷ ଏପ୍ରିଲ ମାସରେ ରାଜ୍ୟ ସରକାର ନୂଆ ଅବକାରୀ ନୀତି ଆଣିଥିଲେ । ସେ ସମୟରେ ରାଜ୍ୟ ସରକାର ବିଦେଶରେ ନିର୍ମିତ ହେଉଥିବା ବିଦେଶୀ ମଦ ଉପରୁ ଟ୍ୟାକ୍ସ ହ୍ରାସ ନିଷ୍ପତ୍ତି ନେଇଥିଲେ । ଅନ୍ୟପକ୍ଷରେ ରାଜ୍ୟରେ ନିର୍ମିତ ହେଉଥିବା ବିଦେଶୀ ମଦ ଉପରେ ଅବକାରୀ ଟ୍ୟାକ୍ସ ଅପରିବର୍ତ୍ତିତ ରଖିଥିଲେ । ଗ୍ରାହକମାନେ ଯେପରି କମ୍ ଦାମରେ ଉତ୍ତମ ମାନର ମଦ ପାଇ ପାରିବେ ସେନେଇ ରାଜ୍ୟ ସରକାର ବ୍ୟବସ୍ଥା କରିଥିଲେ ।

Post a Comment

Previous Post Next Post
Header ADS