ସହଦେବଖୁଣ୍ଟା ଅର୍ଡର ବଜାର ଅଞ୍ଚଳରେ ବ୍ୟବସାୟୀ ସେକ ହମିଦ୍ଙ୍କୁ ଦିନଦ୍ୱିପ୍ରହର ଗୁଳିମାଡ଼ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ।
ବାଲେଶ୍ଵର ,୧୩/୭(ଓଡ଼ିଶା ଆଦର୍ଶ):ସହଦେବଖୁଣ୍ଟା ଅର୍ଡର ବଜାର ଅଞ୍ଚଳରେ ବ୍ୟବସାୟୀ ସେକ ହମିଦ୍ଙ୍କୁ ଦିନଦ୍ୱିପ୍ରହର ଗୁଳିମାଡ଼ ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି ପୋଲିସ। ଏହି ଗୁରୁତ୍ୱପୂର୍ଣ୍ଣ ମାମଲାରେ ମୁଖ୍ୟ ଶୁଟର ସମେତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ବିପୁଳ ମାରଣାସ୍ତ୍ର ଜବତ ହୋଇଛି। ଗତ ଜୁନ୍ ୨୫ ତାରିଖରେ ଦୁଇ ଜଣ ଦୁର୍ବୃତ୍ତ ବାଇକ୍ରେ ଆସି ହାମିଦ୍ଙ୍କୁ ଅତି ନିକଟରୁ ଦୁଇଟି ବନ୍ଧୁକ ରେ ଗୁଳି କରି ହତ୍ୟା କରିଥିଲେ।ପୋଲିସର ୪ଟି ସ୍ୱତନ୍ତ୍ର ଟିମ୍ ୩୦ରୁ ଅଧିକ ସ୍ଥାନର ସିସିଟିଭି ଯାଞ୍ଚ କରି ପ୍ରଥମେ ମୁଖ୍ୟ ଶୁଟର ପପୁନ ସିଂ ଓରଫ ପାକାନାକୁ ଗିରଫ କରିଥିଲା। ଜେରା ବେଳେ ଜଣାପଡ଼ିଛି ଯେ, ପୋଲିସ ନଜରରୁ ବଞ୍ଚିବା ପାଇଁ ଅଭିଯୁକ୍ତମାନେ ନିଜ ମୋବାଇଲ୍ ବ୍ୟବହାର ନକରି ପ୍ରାୟ ଏକ ମାସ ପୂର୍ବରୁ ଇନଷ୍ଟାଗ୍ରାମ ମାଧ୍ୟମରେ ଏହି ହତ୍ୟା ଷଡ଼ଯନ୍ତ୍ର ରଚିଥିଲେ। ଏଥିପାଇଁ ଏକ ସିକ୍ରେଟ୍ ଫୋନ୍ ମଧ୍ୟ ବ୍ୟବହାର କରାଯାଇଥିଲା। ପରେ ଏହି ମାମଲାରେ ସଂପୃକ୍ତ ଅନ୍ୟ ୫ ଜଣଙ୍କୁ ମଧ୍ୟ ପୋଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ମୁଖ୍ୟ ଶୁଟର ପପୁନ ସିଂ , ଲିପୁ ଓରଫ ମହେଶ୍ୱର ବେହେରା , ଦୀପୁ ଓରଫ ଦୀପକ ବେହେରା, ଦୀପକ ପାତ୍ର , ରାଜେଶ ପାତ୍ର ଏବଂ ବିଜୟ ମହାଲିକ ।ଜବତ ମଧ୍ୟରେ ୨ଟି ପିସ୍ତଲ, ୨ଟି ଜୀବନ୍ତ ଗୁଳି, ୨ଟି ବୋମା, ଭୁଜାଲି, ଫାର୍ସା, ୪ଟି ମୋବାଇଲ୍ ଏବଂ ୧ଟି ପଲସର୍ ବାଇକ୍।ଗିରଫ ଅଭିଯୁକ୍ତମାନେ ପେସାଦାର ଅପରାଧୀ ଏବଂ ସେମାନଙ୍କ ନାମରେ ପୂର୍ବରୁ ଅନେକ ସଙ୍ଗୀନ ମାମଲା ରହିଛି। ଏହି ସୁଟରଙ୍କୁ ଦୁଇ ରୁ ତିନି ଲକ୍ଷ ଟଙ୍କାରେ ଡିଲ ହୋଇଥିବା ବେଳେ, ଟଙ୍କା ଦିଆଯାଇନଥିବା ପୋଲିସ କହିଛି।ବଡ କଥା ହେଉଛି ତଦନ୍ତ ଜାରି ରହିଥିବା ରୁ ମୋଟିବ କଣ ଥିଲା, ତାହା ଗୁପ୍ତ ରଖାଯାଇଛି।ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ବାକି ଫେରାର୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ାଉ ଜାରି କରି ଅଧିକ ତଦନ୍ତ ଜାରି ରହିଛି ବୋଲି ଏସପି ପ୍ରତ୍ୟୁଷ ଦିବାକର ସୂଚନା ଦେଇଛନ୍ତି।




إرسال تعليق