ଦୁର୍ବୃତ୍ତଙ୍କ ଆକ୍ରମଣରେ ୱାର୍ଡେନ ମୃତ, ପ୍ରଧାନଶିକ୍ଷୟିତ୍ରୀ ଗୁରୁତର
ସୂଚନା ଅନୁଯାୟୀ ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଗଡ଼ଦେଉଳିଆ ଛକ ନିକଟରେ ଏକ ଘରୋଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଓ ୱାର୍ଡେନଙ୍କୁ ଆକ୍ରମଣ କରାଯାଇଛି। ଏଥିରେ ୱାର୍ଡେନଙ୍କ ମୃତ୍ୟୁ ଘଟିଥିବା ବେଳେ ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସ୍ଥା ଗୁରୁତର ରହିଛି। ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି।ମୃତ ୱାର୍ଡେନଙ୍କ ନାଁ ସନ୍ୟାସୀ ଦାସ (୫୦)। ତାଙ୍କ ଘର ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ମାଣତ୍ରି ଫାଣ୍ଡି ଅନ୍ତର୍ଗତ ଧନାପାଲ ଅଞ୍ଚଳରେ। ସେହିପରି ଗୁରୁତର ଭାବେ ଆହତ ହୋଇଥିବା ପ୍ରଧାନଶିକ୍ଷୟିତ୍ରୀଙ୍କ ନାଁ କାଦମ୍ବିନୀ ରାଉତ (୬୦)।ଗତକାଲି ରାତିରେ ପ୍ରଧାନ ଶିକ୍ଷୟିତ୍ରୀ ଅସୁସ୍ଥ ଅନୁଭବ କରିଥିଲେ। ତେଣୁ ୱାର୍ଡେନ ସନ୍ୟାସୀ ଦାସ ତାଙ୍କୁ ବାଇକ୍ରେ ନିକଟସ୍ଥ ଔଷଧ ଦୋକାନକୁ ନେଇ ଯାଉଥିଲେ। ସ୍କୁଲ୍ଠାରୁ ପ୍ରାୟ ୧୦୦ ମିଟର ଦୂରରେ ତିନି / ୪ ଜଣ ଯୁବକ ସେମାନଙ୍କୁ ଅଟକାଇଥିଲେ। ଉଭୟ ପ୍ରଧାନ ଶିକ୍ଷୟିତ୍ରୀ ଓ ୱାର୍ଡେନ କିଛି ବୁଝିବା ପୂର୍ବରୁ ଉକ୍ତ ଯୁବକମାନେ ସେମାନଙ୍କୁ ଆକ୍ରମଣ କରିଥିଲେ। ସେମାନେ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପ୍ଲାଷ୍ଟିକ୍ ପାଇପ୍ରେ ପିଟି ପିଟି ଗୁରୁତର କରି ଦେଇଥିଲେ। ସେହିପରି ୱାର୍ଡେନଙ୍କୁ ପିଟିବା ପରେ ଛୁରୀ ଭୁସି ଦେଇଥିଲେ। ରାସ୍ତା ଉପରେ ଏଭଳି କାଣ୍ଡ ଘଟାଇ ଦୁର୍ବୃତ୍ତମାନେ ଫେରାର ହୋଇଯାଇଥିଲେ।ଗୁରୁତର ଅବସ୍ଥାରେ ଉଭୟଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଲା। ସେଠାରେ ୱାର୍ଡେନଙ୍କୁ ମୃତ ଘୋଷଣା କରାଯାଇଥିଲା। ପ୍ରଧାନ ଶିକ୍ଷୟିତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ଏହି ଘଟଣା ନେଇ ମୃତ ୱାର୍ଡେନ ସନ୍ୟାସୀ ଦାସଙ୍କ ପକ୍ଷରୁ ବୈଶିଙ୍ଗା ଥାନାରେ ଏତଲା ଦିଆଯାଇଛି। ଅଭିଯୋଗ ପାଇବା ପରେ ପୁଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ଘଟଣାସ୍ଥଳର ଯାଞ୍ଚ କରିଛି ପୁଲିସ। ପୂର୍ବ ଶତ୍ରୁତା ନା ଆଉ କିଛି କାରଣରୁ ଏହି ହତ୍ୟାକାଣ୍ଡ ଘଟିଛି, ତାହା ସ୍ପଷ୍ଟ ହୋଇପାରିନାହିଁ।



إرسال تعليق