ଗୋରୁ ଗାଡି ଅଟକାଇବାକୁ ଯାଇ ଜଣେ ମୃତ ଜଣେ ଗୁରୁତର
ବାଲେଶ୍ଵର,୩୧/୩(ଓଡ଼ିଶା ଆଦର୍ଶ):ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ବାରିକପୁର ନିକଟରେ ଗୋରୁ ଗାଡି ଅଟକାଉଥିବା ବେଳେ ଦୁର୍ଘଟଣାର ଶିକାର ହୋଇ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ଗୋରୁ ଚାଲାଣ ହେଉଥିବା ଖବର ପାଇ କିଛି ଗୋସୁରକ୍ଷା ବାହିନୀ ର ଯୁବକ ଗାଡିକୁ ଅଟକାଇବା ପାଇଁ ପିଛା କରିଥିଲେ। ଗାଡିଟି ଦ୍ରୁତ ଗତିରେ ଯାଉଥିବା ବେଳେ ଖନ୍ତାପଡ଼ା ଥାନା କସବା ଜୟପୁର ପଞ୍ଚାୟତ ଅଳସୁଁଆ ଗ୍ରାମର କୃପାସିନ୍ଧୁ ବେହେରା ଓ ଲମ୍ବୋଧର ମହାପାତ୍ର ଏକ ବାଇକରେ ଗାଡିକୁ ପିଛା କରିଥିଲେ। ଗୋରୁ ବୋଝେଇ ଗାଡିଟି ଖନ୍ତାପଡା ନିକଟ ପଣପଣା ନିକଟରେ ବାଇକ ରେ ଥିବା ୨ ଜଣ ଯୁବକଙ୍କୁ ଧକା ଦେଇ ଫେରାର ହୋଇଯାଉଥିବା ବେଳେ ଖନ୍ତାପଡା ପୁଲିସ ଗାଡିକୁ ଜବତ କରିଥିଲା। ଦୁର୍ଘଟଣାର ଶିକାର ହୋଇଥିବା ଯୁବକ ଦୁଇଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିବା ବେଳେ ସେଠାରେ ଡାକ୍ତର କୃପାସିନ୍ଧୁଙ୍କୁ ମୃତ ଘୋଷଣା କରିଥିଲେ ଓ ଲମ୍ବୋଦର ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବାଲେଶ୍ୱର ଓ ପରେ କଟକ ବଡ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।



إرسال تعليق