କୁଳଡିହା ଅଭୟାରଣ୍ୟରେ ହାତୀଦାନ୍ତ ଲୁଟି ଘଟଣା....
ଶେଷରେ ବନବିଭାଗ କବଜାରେ ମୁଖ୍ୟ ହାତୀଦାନ୍ତ ତସ୍କର ଟୁଟୁ ନାଏକ।
ନୀଳଗିରି,୨୦/୭(ଓଡ଼ିଶା ଆଦର୍ଶ): ହାତୀଦାନ୍ତ ତସ୍କର ସୁଶାନ୍ତ ଓରଫ ଟୁଟୁ ନାଏକର ବହୁଚୋରି ଖେଳର ଅନ୍ତ ଘଟିଛି। ଶେଷରେ ବନବିଭାଗ କବଜାକୁ ଆସି ଗିରଫ ହୋଇଥିବା ବନବିଭାଗ ସୂଚନା ଦେଇଛି। ଗତ ଜୁନ୧୫ତାରିଖରେ ନୀଳଗିରି କୁଳଡିହା ଅଭୟାରଣ୍ୟ ପାଦଦେଶରେ ଅବସ୍ଥିତ ପୁଟିବନ୍ଧ ହୁଡିସାହି ନିକଟ ଜଙ୍ଗଲରେ ଏକ ଗଳିତ ହାତୀର ମୃତଦେହ ସ୍ଥାନୀୟ ଅଞ୍ଚଳବାସୀ ଦେଖି ବନବିଭାଗକୁ ଖବର ଦେଲାପରେ ତତ୍ପରତା ପ୍ରକାଶ ପାଇଥିଲା। ମୃତହାତୀର ବ୍ୟବଚ୍ଛେଦ ପରେ ଶିକାରୀ ସନ୍ଧାନରେ ଅଣ୍ଟା ଭିଡ଼ିଥିଲା ବନବିଭାଗ। ପରେ ବିଭାଗ ତରଫରୁ ଜଣକୁ ସନ୍ଦେହରେ ଗିରଫ କରିବାପରେ ହାତୀମୃତ୍ୟୁର ରହସ୍ୟ ଧୀରେଧୀରେ ଉନ୍ମୋଚିତ ହେବାକୁ ଲାଗିଲା। ଦଶଦିନ ମଧ୍ୟରେ ଉକ୍ତ ଘଟଣାରେ ସଂପୃକ୍ତ ୫ଜଣ ତସ୍କରକୁ ଧରିବାରେ ବନବିଭାଗ ସଫଳ ହୋଇଥିବା ବେଳେ ମୁଖ୍ୟ ଆସାମୀକୁ ଗିରଫ କରିବାରେ ବିଫଳ ହୋଇଥିଲା। ତେବେ ଉପରୋକ୍ତ ୫ଜଣ ଶିକାରୀଙ୍କୁ ଗିରଫପରେ ସ୍ଥାନୀୟ ବିଧାୟକଙ୍କ ସମ୍ପୃକ୍ତିକୁ ନେଇ ବିରୋଧୀ ବିଜେଡିର ଆରୋପ ଏବଂ ବିଧାୟକଙ୍କ ପ୍ରତ୍ୟାରୋପକୁ ନେଇ ସମଗ୍ରରାଜ୍ୟରେ ରାଜନୈତିକ ତୁମ୍ବିତୋଫାନ ଦେଖାଯାଇଥିଲା। କିଛିଦିନ ପୂର୍ବରୁ ବନବିଭାଗ, ମୁଖ୍ୟଆସାମୀ କୁହାଯାଉଥିବା ବରହମପୁର ଥାନା କେସିପୁର ପଞ୍ଚାୟତ ବେତକଟା ଗ୍ରାମର ରୋହିତ ନାଏକଙ୍କ ପୁଅ ସୁଶାନ୍ତ ନାଏକ ଓରଫ ଟୁଟୁ (୩୫)ଙ୍କ ଘରବାଡ଼ି ମାଟିତଳେ ଲୁଚାଇ ରଖିଥିବା ଦାନ୍ତଦୁଇଟିକୁ ଜବତ କରିଥିବାବେଳେ ଆସାମୀର ଟେର ପାଇପାରିନଥିଲା। ରାଜ୍ୟର ପ୍ରଧାନ ମୁଖ୍ୟ ବନସଂରକ୍ଷକଙ୍କ ନିର୍ଦ୍ଦେଶମୂଳେ ଏକ ସ୍ବତନ୍ତ୍ରଟିମ୍ ତଦନ୍ତକାରି ଅଫିସର ଏସିଏଫ୍ଓ ଦିଗନ୍ତ ଶୋଭନ ଚାନ୍ଦ ଏବଂ କୁଳଡିହା ରେଞ୍ଜ ଅଧିକାରୀ ସୁବ୍ରତ କୁମାର ବେହେରାଙ୍କ ନେତୃତ୍ୱରେ ଟୁଟୁ ଏବଂ ସହଯୋଗୀ ବାପି ସିଂକୁ ଖୋଜୁଥିବା ବେଳେ ୧୯ତାରିଖ ମୟୂରଭଞ୍ଜ ଜିଲ୍ଲା ଶୁଖୁଆପଦା ଟୋଲ ପ୍ଲାଜା ନିକଟରେ ଅଭିଯୁକ୍ତ ଟୁଟୁକୁ ଗିରଫ କରିବାରେ ସଫଳ ହୋଇଛି। ଉକ୍ତ ଘଟଣାରେ ଗିରଫ ଅଭିଯୁକ୍ତର ପୂର୍ବାପର ସଂପୃକ୍ତି ନେଇ ତଦନ୍ତ ଜାରିରହିଥିବା ବନବିଭାଗ ସୂଚନା ଦେଇଛି।
إرسال تعليق