ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ନୀଳଗିରି,୧୧/୨(ଓଡ଼ିଶା ଆଦର୍ଶ): ନୀଳଗିରି ଉପଖଣ୍ଡ ଔପଦା ବ୍ଲକ୍ ଅଧିନ ଶ୍ୟାମସୁନ୍ଦରପୁର ପଞ୍ଚାୟତ ପଞ୍ଚଲିଙ୍ଗେଶ୍ଵର ଶୈବପୀଠରେ ପ୍ରକୃତି ପ୍ରେମୀ କମଳଲୋଚନ ପଣ୍ଡାଙ୍କ ତତ୍ତ୍ଵାବଧାନରେ ପରିବେଶ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିବେଶକୁ ପ୍ଲାଷ୍ଟିକ ମୁକ୍ତ ରଖିବା, ପରିବେଶ ପ୍ରଦୂଷଣ ରୋକିବା, ଜଳବାୟୁ ପରିବର୍ତ୍ତନ, ବିଶ୍ବତାପନ ବୃଦ୍ଧି ଜନିତ ସମସ୍ୟାର ସମାଧାନ ପ୍ରଭୃତି ବାର୍ତ୍ତା ନେଇ ଏହି କାର୍ଯ୍ୟକ୍ରମ କରାଯାଇଥିଲା । ବିଶେଷକରି ପଞ୍ଚଲିଙ୍ଗେଶ୍ଵର ଶୈବପୀଠକୁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ପରିବେଶ ସଚେତନତା ବାର୍ତ୍ତା ଦେବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ରହିଥିଲା । ଯାଜପୁର ଜିଲ୍ଲା ଚଣ୍ଡିଖୋଲ ଅଞ୍ଚଳରୁ ପଞ୍ଚଲିଙ୍ଗେଶ୍ଵର ଶୈବପୀଠକୁ ଆସିଥିବା ପ୍ରଦୀପ୍ତ କୁମାର ସାହୁ କହନ୍ତି ପଞ୍ଚଲିଙ୍ଗେଶ୍ଵର ପୀଠକୁ ପ୍ଲାଷ୍ଟିକ ମୁକ୍ତ ରଖିବା ତଥା ପରିବେଶ ସୁରକ୍ଷା ଦିଗରେ ଆମେ ସଚେତନ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ସଚେତନ କରିବା ଆବଶ୍ୟକ ।ସୂଚନା ଥାଉକି ପ୍ରକୃତି ପ୍ରେମୀ କମଳଲୋଚନ କ୍ରମାଗତ ଭାବରେ ବନାଗ୍ନି ନିରାକରଣ, ବନ୍ୟଜନ୍ତୁ ସୁରକ୍ଷା, ପରିବେଶ ସୁରକ୍ଷା, ଅଞ୍ଚଳକୁ ପ୍ଲାଷ୍ଟିକ ମୁକ୍ତ ରଖିବା ଆଦି ସଚେତନତା କାର୍ଯ୍ୟକ୍ରମ କରିଚାଲିଛନ୍ତି ଯାହା ଅନ୍ୟମାନଙ୍କୁ ପ୍ରେରଣା ଦେବାରେ ବେଶ୍ ସହାୟକ ହେବ ବୋଲି ବୁଦ୍ଧିଜିବି ମହଲରେ ଚର୍ଚ୍ଚା ହେଉଛି।
إرسال تعليق