କାମ ନସରୁଣୁ ଉଠିଗଲା ପିଚୁ । ତରବରିଆ ଭାବେ କ୍ରସର ଡଷ୍ଟ ପକାଇ ଲୁଚାଇବାକୁ ଚାଲିଛି ପ୍ରୟାସ
ନୀଳଗିରି,୯/୧(ଓଡ଼ିଶା ଆଦର୍ଶ): ପୂର୍ତ୍ତବିଭାଗ ଦ୍ୱାରା ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅନ୍ତର୍ଗତ ଭାଲୁକାଶୁଣି – ନରଣପୁର – ମାଟିଆଳୀ ରାସ୍ତାର ଉନ୍ନତିକରଣ ପାଇଁ ୧୭କୋଟି ୯୨ଲକ୍ଷ ୨୫ହଜାର ୫୪୬ଟଙ୍କା ବ୍ୟୟବରାଦ ହୋଇଥିଲା। ୨୦୨୩ ମସିହା ଡିସେମ୍ବର ୨୮ତାରିଖ ଦିନ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଏବଂ ତତ୍କାଳୀନ ବିଧାୟକ ଇଂ ସୁକାନ୍ତ କୁମାର ନାୟକଙ୍କ କରକମଳରେ ଶୁଭ ଶିଳାନ୍ୟାସ ଦିଆଯାଇଥିଲା।ପ୍ରହଲ୍ଲାଦ ବାଗ ନାମକ ଜୈନିକ ଠିକାଦାର ଉକ୍ତ ରାସ୍ତାର କାର୍ଯ୍ୟାଦେଶ ପାଇ କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ସଂପୃକ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଭାଲୁକାଶୁଣି ଠାରୁ ନରଣପୁର ମଧ୍ୟରେ ଫାଇନାଲ ରାସ୍ତା ପିଚ କାମ ପ୍ରାୟ ୨୦/୨୫ଦିନ ତଳେ ସରିଥିବା ବେଳେ ଅଧିକାଂଶ ସ୍ଥାନରେ ପିଚୁ ଉଠି ବଜୁରି ବାହାରି ପଡ଼ିଥିବା ଯୋଗୁଁ ରାସ୍ତାରେ ଯାତାୟାତ କରୁଥିବା ମଟରସାଇକେଲ ଆରୋହୀ ହଡବଡେଇ ପଡ଼ିଯାଇ ଲହୁଲୁହାଣ ହେଉଥିବା ଅଭିଯୋଗ ହୋଇଛି। ଏନେଇ ସ୍ଥାନୀୟ ଗ୍ରାମବାସୀଙ୍କ ବାରମ୍ବାର ଅଭିଯୋଗ ପରେ ଘଟଣାକୁ ଚପାଇ ଦେବାକୁ ଠିକାଦାର ଶ୍ରୀ ବାଗ ଏବଂ କନିଷ୍ଠଯନ୍ତ୍ରୀ ସନ୍ତୋଷ ପଣ୍ଡାଙ୍କ ଚକ୍ରାନ୍ତରେ ସୋମବାର ଭୋର ସମୟରେ ଟ୍ରାକ୍ଟର ସାହାଯ୍ୟରେ କ୍ରସର୍ ଡଷ୍ଟ ଆଣି କିଛି ତରଳପଦାର୍ଥ (ପ୍ରାଇମର) ସହ ରାସ୍ତାରେ ପେଚ ପକାଇଥିବା ଦେଖିବାକୁ ମିଳିଛି। ଏନେଇ କନିଷ୍ଠଯନ୍ତ୍ରୀ ଶ୍ରୀଯୁକ୍ତ ପଣ୍ଡା ଗଛଛାଇ ଯୋଗୁଁ ରାସ୍ତାର ଦୁଇ ତିନି ଗୋଟି ସ୍ଥାନ ରେ ଏଭଳି ପିଚୁ ଉଠିଥିବା ସଫେଇ ଦେଇଥିବା ବେଳେ ପ୍ରକୃତରେ ରସ୍ତାସାରା ଅଧିକାଂଶ ଜାଗାରେ ପିଚୁ ଉଠିଯାଇଥିବା ଦେଖାଯାଇଛି। ତେବେ କାମ ନସରୁଣୁ ପିଚୁଉଠିବା ଘଟଣା କେତେ ନିମ୍ନମାନର କାମ ତାହା ଏଥିରୁ ସ୍ପଷ୍ଟ ଜଣା ପଡୁଛି। ତେବେ ଏହି ଅନିୟମିତତା ହୋଇଥିବା ପ୍ରକଳ୍ପର ଭିଜିଲାନସ୍ ତଦନ୍ତପାଇଁ ଅଞ୍ଚଳବାସୀଙ୍କ ତରଫରୁ ଦାବୀ ହୋଇଛି।
إرسال تعليق