Header ADS

ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ

 


ନୀଳଗିରି,୧/୮ (ଓଡ଼ିଶା ଆଦର୍ଶ) ଫକୀର ମୋହନ ବିଶ୍ୱବିଦ୍ୟାଳୟରେ ମତ୍ସ୍ୟଜୀବୀ, ଚାଷୀ, ଯୁବକ ଓ ମହିଳା ମାନଙ୍କ ପାଇଁ ଦୁଇଦିନିଆ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। 

ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଗତକାଲି ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିସହ କୁଳସଚିବ କୁକୁମୀନା ଦାସ, ସ୍ନାତକୋତ୍ତର ପରିଷଦର ଅଧ୍ୟକ୍ଷ ପ୍ରଫେସର ଭାସ୍କର ବେହେରା, ବିଭାଗର ଆଡଜଙ୍କ୍ଟ ପ୍ରଫେସର ପ୍ରଫେସର ବି ପି ଦାସ ପ୍ରମୁଖ ଉପସ୍ଥିତ ହୋଇ ବିଶ୍ବବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯିବାର ପ୍ରୟାସକୁ ସଫଳ ହେବାନେଇ ଆଶାବ୍ୟକ୍ତ କରିଥିଲେ।ଏହି କାର୍ଯ୍ୟକ୍ରମରେ ମୂଖ୍ଯ ବକ୍ତା ତଥା ପ୍ରଥମ ଦିନର ପ୍ରଶିକ୍ଷକ ଭାବରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଶ୍ରୀ ଜିତେନ୍ଦ୍ର କୁମାର ବେହେରା ଯୋଗଦେଇ ମତ୍ସ୍ୟଚାଷ ସଂପର୍କରେ ସବିଶେଷ ଅବଗତ କରାଇଥିଲେ। 


ପ୍ରାୟ ୮୦ ରୁ ଉର୍ଦ୍ଧ୍ବ ଅଂଶଗ୍ରହଣକାରୀଙ୍କ ସହିତ ଆରମ୍ଭ ଏହି ତାଲିମ କାର୍ଯ୍ୟକ୍ରମର ବୈଷୟିକ ଅଧିବେଶନରେ ମତ୍ସ୍ୟଚାଷ ସଂପର୍କିତ ତଥ୍ଯ ପ୍ରଦର୍ଶନ, ଅଭିଜ୍ଞତା ବଣ୍ଟନ , ସଫଳତାର କାହାଣୀ , ଓ ରାଜ୍ଯ ସରକାରଙ୍କ ମତ୍ସ୍ୟ ବିଭାଗ ଦ୍ବାରା ପରିଚାଳିତ ବିଭିନ୍ନ ଦିଗଗୁଡିକ ବିଷୟବସ୍ତୁ ଭାବେ ଏହି କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇଥିଲା। 

ଆଭ୍ୟନ୍ତରୀଣ ବିଶେଷଜ୍ଞ, ବିଭାଗୀୟ ସରକାରୀ ଅଧିକାରୀ ଏହି କାର୍ଯ୍ୟକ୍ରମ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ତାଲିମ ଦେଇଥିଲେ ।ଫକୀର ମୋହନ ବିଶ୍ୱବିଦ୍ୟାଳୟର ପ୍ରାଣୀ ବିଜ୍ଞାନ ବିଭାଗ ଓ ଆର୍ଥ କ୍ରୁସାଡରସ୍ ଅନୁଷ୍ଠାନ, ଭୁବନେଶ୍ୱର ର ମିଳିତ ସହଯୋଗ ଦ୍ୱାରା ଆୟୋଜିତ ଏହି ଦୁଇଦିନିଆ କାର୍ଯ୍ୟକ୍ରମରେ ମାଛ ଉତ୍ପାଦନ ଏବଂ ଉତ୍ପାଦକତା, ଗୁଣବତ୍ତା, ପ୍ରଯୁକ୍ତିବିଦ୍ୟାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଓ ଏହାକୁ ବ୍ୟବସାୟିକ ପ୍ରକଳ୍ପ ଭାବେ ଗ୍ରହଣ କରିବାକୁ ଲକ୍ଷ୍ଯ ରଖିଥିବା ଉଦ୍ୟୋଗୀଙ୍କ ମନରେ ଥିବା ଆଶଙ୍କା ଦୂର କରିବାକୁ ଲକ୍ଷ୍ୟ ରଖାଯାଇଥିଲା। 

ଏହାସହିତ ପୃଷ୍ଟିକର ଖାଦ୍ୟର ଏକ ଶକ୍ତିଶାଳୀ ଉତ୍ସ ଭାବରେ ମତ୍ସ୍ୟ କ୍ଷେତ୍ରର ସମ୍ଭାବନାକୁ ଚିହ୍ନିବା ପାଇଁ ବିଶେଷଜ୍ଞ ମାନେ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ଦେଇଥିଲେ। ଏହା ବର୍ତ୍ତମାନ ସମୟର ଏକ ନିଶ୍ଚିତ ରୋଜଗାର ଏବଂ ଆୟର ପନ୍ଥା ଭାବେ ପରିଗଣିତ ହୋଇଅଛି ଏବଂ ଆର୍ଥିକ ଭାବେ ସ୍ୱାବଲମ୍ବୀ ହେବାକୁ ଇଚ୍ଛୁକ ପ୍ରତ୍ୟେକ ବ୍ୟକ୍ତି ଏହି ତାଲିମ ଗ୍ରହଣ କରିବା ଉଚିତ ବୋଲି ଉଲ୍ଲେଖ କରାଯାଇଥିଲା। 

ଆଶାୟୀ ଉଦ୍ୟୋଗୀ ଏବଂ ଅନ୍ୟ ହିତାଧିକାରୀମାନେ ମତ୍ସ୍ୟ କ୍ଷେତ୍ର ସହିତ ଜଡିତ କିମ୍ବା ସାମୁଦ୍ରିକ ଚାଷ,  ମତ୍ସ୍ୟଜାତ ଦ୍ରବ୍ୟର ଅଳଙ୍କାର ପ୍ରସ୍ତୁତି ଇତ୍ୟାଦି ଅନେକ ପ୍ରସଙ୍ଗ ଆଲୋଚନାରେ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହି ତାଲିମ କାର୍ଯ୍ୟକ୍ରମଟି ଏନ୍.ଏଫ.ଡି.ବି, ହାଇଦ୍ରାବାଦ ଓ ଏମ.ଏ.ଏନ.ଏ.ଜି.ଇ, ହାଇଦ୍ରାବାଦ ଦ୍ବାରା ସଂଯୋଜିତ ହୋଇଥିଲା । କାର୍ଯ୍ୟକ୍ରମକୁ ଡ଼କ୍ଟର ମନୋଜିତ ଭଟ୍ଟାଚାର୍ଯ୍ୟ ସଂଚାଳନ କରିଥିଲେ ଓ ଧନ୍ଯବାଦ ଅର୍ପଣ କରିଥିଲେ।


ଦ୍ବିତୀୟ ତଥା ଅନ୍ତିମ ଦିନର ତାଲିମ କାର୍ଯ୍ୟକ୍ରମରେ ବିଶ୍ବବିଦ୍ୟାଳୟ ପରିସରରେ ରହିଥିବା ଅନେକ ଜଳାଶୟ ମଧ୍ଯରୁ ଗୋଟିଏ ପୋଖରୀରେ ମାଛଚାଷର ସଂପୂର୍ଣ୍ଣ ପ୍ରକ୍ରିୟା ବାସ୍ତବ ରୂପ ମାଧ୍ୟମରେ ପରିବେଷଣ କରାଯାଇଥିଲା। ଏଥିସହ ୫୦୦ ରୁ ଅଧିକ ବିଭିନ୍ନ ମାଛ ଜାଆଁଳ ପୋଖରୀରେ ଛଡା ଯାଇଥିଲା।  ଏଥିସହ ବିଶେଷଜ୍ଞ ଭାବରେ ପୂର୍ବତନ ଓଏଏସ ତଥା ପ୍ରତିଷ୍ଠିତ ମହିଳା ଉଦ୍ୟୋଗୀ ଡକ୍ଟର ନିନା ସିଂ ଯୋଗଦେଇ ମଧୁର ଜଳ ମାଛ ଉତ୍ପାଦନ, ଏହାର ବୈଷୟିକ ବିଜ୍ଞାନ, ପ୍ରଣାଳୀ ସହ ମୋତି ଚାଷ ସମ୍ଵନ୍ଧିତ ଅନେକ ମୂଲ୍ୟବାନ ତଥ୍ଯ ପ୍ରଦାନ କରିଥିଲେ। 



ତାଲିମ ଶେଷରେ କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ,

ମତ୍ସ୍ୟ ଅମଳର ଉପଦେୟତା ଓ ଏହାର ପରବର୍ତ୍ତୀ ଭିତ୍ତିଭୂମି,  ମତ୍ସ୍ୟ ଉତ୍ପାଦନର ଆଧୁନିକୀକରଣ, ଆଦାୟର ପ୍ରକଳ୍ପ ଗୁଡିକୁ ଶକ୍ତିଶାଳୀ କରିବା, ତଥା ଏକ ସୁସଂଗଠିତ ମତ୍ସ୍ୟ ପରିଚାଳନା ଢାଞ୍ଚା ସହ ଛାତ୍ରଛାତ୍ରୀ ମାନେ ସୁରକ୍ଷିତ ମତ୍ସ୍ୟସମ୍ପଦ ପ୍ରତିଷ୍ଠା କରିପାରିବେ ବୋଲି ଆଶାବ୍ୟକ୍ତ କରିଥିଲେ।


ଏହି ପ୍ରଶିକ୍ଷଣର ମୂଳ ଉଦ୍ଦେଶ୍ୟ ଗୁଡିକ ଦକ୍ଷତା ବିକାଶ, ବ୍ୟବସାୟିକ ସ୍ଟାର୍ଟ-ଅପ ଗଠନ , ମତ୍ସ୍ୟଚାଷ ସଂପର୍କରେ ସଚେତନତା, ଏବଂ ଦକ୍ଷତା ପ୍ରତିପାଦନ, ଇନକ୍ୟୁବେସନ ଏବଂ ଅଭିନବ ପ୍ରଯୁକ୍ତିବିଦ୍ୟା ଶିକ୍ଷା , ମତ୍ସ୍ୟ ଉତ୍ପାଦନରେ ସର୍ବୋତ୍ତମ ତାଲିମ ଗ୍ରହଣ ଇତ୍ୟାଦି ରହିଥିଲା। ଦୁଇଦିନିଆ କାର୍ଯ୍ୟକ୍ରମର ସଂଯୋଜକ ତଥା ଅର୍ଗାନାଇଜିଙ୍ଗ ସେକ୍ରେଟେରୀ ଭାବରେ ବିଭାଗର ଅଧ୍ୟାପକ ଡ଼କ୍ଟର ନିଳାଦ୍ରୀ ଭୂଷଣ କର ଦାୟିତ୍ବ ନିର୍ବାହ କରିଥିଲେ।


Post a Comment

Previous Post Next Post
Header ADS